ପୁଣି କୋଭିଡ୍‌ ହସ୍ପିଟାଲ୍‌ରେ ଲାଗିଲା ନିଆଁ, ଆଖି ବୁଜିଲେ ୫ ରୋଗୀ

ରାଇପୁର: ଛତିଶଗଡ଼ ରାଇପୁର ସ୍ଥିତ ଏକ କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ଘଟିଛି।ସହରର ଟିକରପଡ଼ା ଅଞ୍ଚଳରେ ଥିବା ଏହି ଘରୋଇ ହସ୍ପିଟାଲ୍‌ର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ୍‌ର ଆଇସିୟୁରେ ନିଆଁ ଲାଗିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନିଆଁରେ ପୋଡ଼ି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ-ରମେଶ ସାହୁ, ଇଶ୍ୱର ରାଓ, ବନ୍ଦନା ଗଜ୍‌ମାଲା, ଭାଗ୍ୟଶ୍ରୀ ଓ ଦେବିକା ସୋନ୍‌କର୍‌। ନିଆଁରେ ପୋଡ଼ି ହୋଇ ରମେଶ ସାହୁଙ୍କ ମୃତ୍ୟୁ ହୋଇଛି।

ପ୍ରଥମେ ସୁପରଭାଇଜର ଆଇସିୟୁ ଭିତରୁ ଧୂଆଁ ବାହାରୁଥିବା ଦେଖିଥିଲେ। ଏହାପରେ ସେ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ଆଲର୍ଟ କରିଥିଲେ ଓ ଟିକରପଡ଼ା ପୋଲିସ୍‌କୁ ଏସମ୍ପର୍କରେ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରିଥିଲେ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ନିଆଁ ଲାଗିବା ସମୟରେ ୩୪ ଜଣ ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣ ଆଇସିୟୁରେ ଥିଲେ। ଫଳରେ ଆଇସିୟୁ ଭିତରେ ଥିବା ରୋଗୀମାନେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା କୁହାଯାଉଛି। ହସ୍ପିଟାଲ୍‌ରେ ଥିବା ଆଉ ୨୯ କରୋନା ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ରାଇପୁର ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ରାଇପୁର ଜିଲ୍ଲାର ସମସ୍ତ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ, ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗଭୀର ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଅବହେଳାକୁ ନେଇ ହସ୍ପିଟାଲ୍‌ ମ୍ୟାନେଜମେଣ୍ଟ ବିରୋଧରେ ଏକ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ଗତ ଏପ୍ରିଲ ୯ରେ ମହାରାଷ୍ଟ୍ର ନାଗପୁରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ନାଗପୁର ସ୍ଥିତ ୱେଲ୍‌ ଟ୍ରିଟ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ଯାଇଥିଲା। ଏହାପରେ ତୁରନ୍ତ ସେଠାରେ ଚିକିତ୍ସିତ ହେଉଥିବା ୨୭ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ମୁମ୍ବାଇ ଭାନ୍‌ଦୁପ୍‌ ଅଞ୍ଚଳରେ ଥିବା ସନ୍‌ରାଇଜ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି ୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହି ହସ୍ପିଟାଲ୍‌ରେ କୋଭିଡ୍‌ କେୟାର ଫାସିଲିଟି ଥିଲା।

ସେପେଟେ ଦେଶରେ ବଢୁଥିବା କରୋନା ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକ ବେଡ୍‌ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ମୋଦି କହିଛନ୍ତି।

You might also like