ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ୧୫ ମୃତ

ଅହମଦାବାଦ : ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ଭରୁଚର ପଟେଲ ୱେଲଫେୟାର ହସ୍ପିଟାଲରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ଅନେକ କୋଭିଡ୍ ରୋଗୀ ଭର୍ତ୍ତି ହୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ସେଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।   ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ହୋଇଛି । ପଟେଲ ୱେଲଫେୟାର ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ କୋଭିଡ କେୟାର ସେଣ୍ଟର ତିଆରି କରାଯାଇଛି ।

ଆଇସିୟୁ ୱାର୍ଡରେ ସର୍ଟସର୍କିଟ ହେବାରୁ ପୂରା ହସ୍ପିଟାଲରେ ନିଆଁ ଲାଗି ଯାଇଥିବା କହିଛନ୍ତି ଭରୁଚ ଏସପି ରାଜେନ୍ଦ୍ର ସିଂ ଚୁଡାସାମା । ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସମ୍ପର୍କରେ ସୂଚନା ପାଇବା ପରେ ୧୦ଟି ଅଗ୍ନିଶମ ବାହିନୀକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ତେବେ ଦୁର୍ଭାଗ୍ୟର ବିଷୟ ନିଆଁକୁ ଆୟତ୍ତ କରି ରୋଗୀଙ୍କୁ ଡାକ୍ତରଖାନାରୁ ବାହାର କରାଯିବା ବେଳକୁ ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ୧୩ ଜଣ କରୋନା ରୋଗୀ ଏବଂ ୨ ଜଣ ନର୍ସଙ୍କର ଜୀବନ ଯାଇଛି । ଡାକ୍ତରଖାନାରେ ନିଆଁ ଲାଗିବା ସମୟରେ ସେଠାରେ ୫୮ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀ କହିଛନ୍ତି, ବର୍ତ୍ତମାନ ଡାକ୍ତରଖାନାର ଯାଂଚ କରାଯାଉଛି । ମୃତକଙ୍କ ସଂଖ୍ୟା ମଧ୍ୟ ଆଗକୁ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

 

 

ଗୋଟିଏ ପଟେ ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ କୋଭିଡ ହସ୍ପିଟାଲରେ ନିଆଁ ଲାଗିବା ପରି ଘଟଣା ଘଟି ଅକାଳରେ ଚାଲିଯାଇଛି କରୋନା ରୋଗୀଙ୍କ ଜୀବନ । ସୂଚନାଯୋଗ୍ୟ ଗତ ମାସ ୨୩ ତାରିଖରେ ମଧ୍ୟ ମୁମ୍ବାଇର ପାଲଘର ଜିଲ୍ଲା ଭସାଇର ଏକ କୋଭିଡ୍ ସେଣ୍ଟରରେ ନିଆଁ ଲାଗି ୧୩ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଥିଲା । ସକାଳ ପାଖାପାଖି ସାଢ଼େ ୩ଟାରେ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ତେବେ ନିଆଁ ଲାଗିବା ଫଳରେ ୧୩ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିଲା ଏବଂ ୫ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସାଢ଼େ ପାଞ୍ଚଟା ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ ଅଗ୍ନିଶମ ବାହିନୀ ।

You might also like