ରେଳବାଇ ବିଲ୍‌ଡିଂରେ ନିଆଁ ଲାଗି ୯ ମୃତ

କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଗତକାଲି ସନ୍ଧ୍ୟାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି।  ଷ୍ଟ୍ରେଣ୍ଡ ରୋଡ୍ ସ୍ଥିତ ରେଳବାଇର ନ୍ୟୁ କୋଏଲାଘାଟ ବିଲ୍‌ଡିଂର ୧୩ ମହଲାରେ ନିଆଁ ଲାଗିବାରୁ ୯ଜଣଙ୍କ ଶୋଚନୀୟ ମୃୁତ୍ୟୁ ଘଟିଛି। ୯ ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଆରପିଏଫ ଓ ଜଣେ ଏଏସ୍‌ଆଇ। ସେହିପରି ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

ଗତକାଲି ସନ୍ଧ୍ୟା ସମୟରେ ରେଳବାଇର ହାଉସ ଅଫିସ ଭାବେ ବ୍ୟବହୃତ ହେଉଥିବା ଏହି ବିଲ୍‌ଡିଂରେ ନିଆଁ ଲାଗିଥିବା କୋଲକାତା ପୁଲିସ୍ ସୂଚନା ପାଇଥିଲା । ଏହାପରେ ୧୦ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଏହି ଅଗ୍ନିକାଣ୍ଡରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଲିଫ୍ଟ ଦ୍ୱାରା ମୃତାହତମାନେ ନିଆଁକୁ ଆୟତ୍ତ କରିବା ପାଇଁ  ପହଞ୍ଚିଥିଲେ। ଏହି ସମୟରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ସମସ୍ତଙ୍କର ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟା ପ୍ରାୟ ୬.୧୦ରେ ବିଲ୍ଡିଂର ୧୩ତମ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା। ଦମକଳ ବାହିନୀ ଓ ରେଳବାଇ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ମୃତକଙ୍କ ମଧ୍ୟରେ ୨ଜଣ ଆରପିଏଫ୍ ଯବାନ , ଜଣେ ଏଏସଆଇ ଏବଂ ୪ଜଣ ଦମକଳ ବାହିନୀର କର୍ମଚାରୀ ରହିଛନ୍ତି । ଏହି ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ସରକାରୀ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଏପରିକି ମୃତକଙ୍କ ଜଣେ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବାକୁ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଏହା ରେଳବାଇ ଅଫିସ ଓ ବହୁତ ପୁରୁଣା ମଧ୍ୟ। ଘଟଣାରେ ଅଗ୍ନିଶମ କର୍ମଚାରୀ, ଆରପିଏଫ ଓ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେମାନେ ଲିଫ୍ଟରେ ଥିବା ବେଳେ ନିଆଁ କବଳରେ ପଡ଼ି ପ୍ରାଣ ହରାଇଛନ୍ତି। ଆମେ ସମସ୍ତଙ୍କର ଦଗ୍ଧ ଶବ ଉଦ୍ଧାର କରିଛୁ।

ଇଷ୍ଟର୍ଣ୍ଣ ରେଳବାଇର ମୁଖପାତ୍ର କମଳା ଦେଓ କହିଛନ୍ତି, କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ନୂଆ କୋଇଲାଘାଟ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି। ଏହି ବିଲ୍ଡିଂକୁ ଇଣ୍ଟର୍ଣ୍ଣ ଓ ସାଉଥ ଇଷ୍ଟର୍ଣ୍ଣ ରେଳବାଇର ହାଉସ ଅଫିସ ଭାବେ ବ୍ୟବହାର କରାଯାଏ। ଏହାର ଗ୍ରାଉଣ୍ଡ ଫ୍ଲୋରରେ କମ୍ପ୍ୟୁଟରକରଣ ଟିକେଟ୍‌ ବୁକିଂ କାଉଣ୍ଟର ମଧ୍ୟ ରହିଛି। ଅଗ୍ନିକାଣ୍ଡ ଯୋଗୁ ଟିକେଟ ବୁକିଂ ସେବା ପ୍ରଭାବିତ ହୋଇଛି।

ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରେଲୱେ ପକ୍ଷରୁ ରାଜ୍ୟ ସରକାରକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମନ୍ତ୍ରୀ ପୀୟୂଷ ଗୋଏଲ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

You might also like