କରୋନା ଭୟରେ ସ୍ୱାମୀଙ୍କୁ ଛାଡ଼ି ପଳାଇଲେ ସ୍ତ୍ରୀ ! କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ରଖିଲେ ଏମିତି ଉତ୍ତର
ଆଗ୍ରା: କରୋନା ଭୟରେ ସ୍ୱାମୀଙ୍କୁ ଛାଡ଼ି ପଳାଇଲେ ସ୍ତ୍ରୀ ! ଏମିତି ଏକ ଖବର ଭାଇରାଲ ହୋଇଥିଲା। ହେଲେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଆଜି ସଫେଇ ଦିଆଯାଇଛି।
କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ଖବରକୁ ଖଣ୍ଡନ କରାଯିବା ସହ କୁହାଯାଇଛି, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଇଟାଲିକୁ ହନିମୁନ୍ରେ ଯାଇଥିଲେ। ସେଠାରୁ ମାର୍ଚ୍ଚ ୬ ତାରିଖ ମୁମ୍ବଇ ଫେରିଥିଲେ। ସେଠାରୁ ମାର୍ଚ୍ଚ ୮ ତାରିଖ ସନ୍ଧ୍ୟା ୯.୪୫ରେ ବେଙ୍ଗାଲୁରରେ ପହଞ୍ଚିଥିଲେ। ତେବେ ତାଙ୍କ ପତ୍ନୀ ଏୟାରପୋର୍ଟରୁ ହିଁ ଫେରି ଯାଇଥିଲେ । ସେ ଦିଲ୍ଲୀ ଏବଂ ପରେ ଦିଲ୍ଲୀରୁ ଆଗ୍ରା ଯାଇଥିଲେ।
ତାଙ୍କ ସ୍ୱାମୀ କାମରେ ଥିବାବେଳେ ଅସୁସ୍ଥ ଅନୁଭବ କଲେ। ପରୀକ୍ଷା ପରେ ମାର୍ଚ୍ଚ ୧୨ ତାରିଖ ଜଣାପଡ଼ିଥିଲା ସେ କରୋନା ଆକ୍ରାନ୍ତ ହୋଇଛନ୍ତି।
ଯାହା ବି ହେଉ, କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମେଡିକାଲ ଏଜୁକେଶନ ମନ୍ତ୍ରୀ ଡ. ସୁଧାକର ଏକ ପ୍ରେସ ମିଟ୍ରେ କହିଛନ୍ତି, ସ୍ୱାମୀ ଅସୁସ୍ଥ ଥିବାବେଳେ ତାଙ୍କ ପତ୍ନୀ କେଉଁଠି ଥିଲେ କିଛି ସ୍ପଷ୍ଟ ଜଣାନାହିଁ। କିନ୍ତୁ କରୋନା ଆକ୍ରାନ୍ତ ସ୍ୱାମୀଙ୍କୁ ଡାକ୍ତରଖାନାରେ ଛାଡ଼ି ପତ୍ନୀ ପଳାଇ ଯାଇଥିଲେ ବୋଲି ଯେଉଁ ଖବର ପ୍ରଚାର ହୋଇଥିଲା, ତାହା ଠିକ୍ ନୁହେଁ।
ସୂଚନାଥାଉ କି, ଗୁଗଲ୍ରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସହ ସମ୍ପୃକ୍ତ ମହିଳାଙ୍କ ବିବାହ ଫେବୃଆରୀରେ ବେଙ୍ଗାଲୁରୁରେ ହୋଇଥିଲା। ବିବାହ ପରେ ନବ ଦମ୍ପତି ହନିମୁନ୍ ପାଇଁ ଇଟାଲି, ଗ୍ରୀସ୍, ଓ ଫ୍ରାନ୍ସ ଯାଇଥିଲେ। ଫେବୃଆରୀ ୨୭ରେ ସେମାନେ ମୁମ୍ବାଇ ଫେରିଥିଲେ। ପରେ ସ୍ୱାମୀ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲେ।
ପରେ ଗଣମାଧ୍ୟମରେ ପ୍ରଚାର ହୋଇଥିଲା ଯେ, ପତ୍ନୀ କରୋନା ଆକ୍ରାନ୍ତ ସ୍ୱାମୀଙ୍କୁ ଡାକ୍ତରଖାନାରେ ଛାଡ଼ି ପଳାଇଥିଲେ। ଏକଥା ମଧ୍ୟ ପ୍ରଚାର ହୋଇଥିଲା ଯେ, ଯାଞ୍ଚ ପାଇଁ ପତ୍ନୀଙ୍କ ପରିବାର ଲୋକେ ସହଯୋଗ କରୁନାହାନ୍ତି। ଏପରିକି ଯାଞ୍ଚ ଟିମ୍ ଉକ୍ତ ମହିଳାଙ୍କ ଘରେ ଯାଇ ପହଞ୍ଚିଥିଲେ। ହେଲେ, ମହିଳା ଜଣକ ଆଗ୍ରାରେ ନ ଥିବା ନେଇ ପରିବାର ଲୋକେ ମିଛ କହିଥିଲେ।
ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଉଭୟ ଆଗ୍ରା ଏବଂ ମୁମ୍ବାଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ ରଖିବା ସହ ଘଟଣା ଉପରେ ନଜର ରଖିଥିବା କହିଛନ୍ତି