ଅର୍ଥମନ୍ତ୍ରୀ ଶଶି ଭୂଷଣଙ୍କୁ ଜମାକାରୀଙ୍କ ଜୋର୍ଦାର ବିରୋଧ
ସୁରତ୍ରେ ଗୋଡ଼େଇଲା ଚିଟ୍ଫଣ୍ଡ କେଳେଙ୍କାରୀ ଭୂତ
ସୁରତ୍ : ଗୁଜରାଟ ସୁରତ୍ରେ ହଟହଟା ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଓଡ଼ିଶା ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ ଦିଗରେ ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ସୁରତ୍ରେ ରହୁଥିବା କ୍ଷତିଗ୍ରସ୍ତ ଓଡ଼ିଆ ଜମାକାରୀ। ତାସହ ବ୍ୟାନର୍ ଧରି ଅର୍ଥମନ୍ତ୍ରୀଙ୍କୁ ଜୋରଦାର ବିରୋଧ କରିଛନ୍ତି।
ଅାଜି ସୁରତ ନାନ୍ପୁରାସ୍ଥିତ ଚାମ୍ବର୍ସ ଅଫ୍ କମର୍ସ ଅାଣ୍ଡ ଇଣ୍ଡଷ୍ଟ୍ରିର ଏକ ବୈଠକରେ ଯୋଗଦେବାକୁ ଅାସିଥିଲେ ଅର୍ଥମନ୍ତ୍ରୀ। ଏଠାରେ କ୍ଷତିଗ୍ରସ୍ତ ଜମାକାରୀ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ସାମିଲ ହୋଇଥିଲେ ପ୍ରବାସୀ ଚିଟ୍ଫଣ୍ଡ ଜମାକାରୀ ମହାସଂଘ, ଓଡ଼ିଶା ମଜୁଦୁର୍ ସଂଘ ଓ ସୁରତ୍ ଓଡିଅା ଶ୍ରମିକ ମହାସଂଘ। ସରକାର ତୁରନ୍ତ ଗରିବ ଲୋକଙ୍କ ଟଙ୍କା ଫେରାନ୍ତୁ ବୋଲି ଦାବି ଉଠାଇଛି ବିକ୍ଷୋଭ ପ୍ରଦର୍ଶନକାରୀ।
ଏପଟେ ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାର ବିରୋଧରେ ଏହା ଏକ ଭୁଲ ପ୍ରଚାର। ରାଜ୍ୟ ସରକାର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରକ୍ରିୟା ଅାରମ୍ଭ କରିସାରିଛନ୍ତି। ସରକାର କୌଣସି ଚିଟ୍ଫଣ୍ଡ କମ୍ପାନୀକୁ ଅନୁଗ୍ରହ ଦେଖାଇନାହାନ୍ତି। ଓଲଟା ଏହା ରାଜନୀତି ବୋଲି ସେ ଅଭିଯୋଗ କରିଛନ୍ତି।
ଗୁଜରାଟରେ ଓସ୍କାର, ମାଇକ୍ରୋ ଫାଇନାନ୍ସ ଓ ଗ୍ରୀନ୍ ଇଣ୍ଡିଅା ଚିଟ୍ଫଣ୍ଡ କଂପାନୀ ବ୍ରାଞ୍ଚ ଖୋଲି ପ୍ରାୟ ୨୫୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ସେଠାକାର ପ୍ରାୟ ୫୦ ହଜାର ଜମାକାରୀ ଏହି ଠକେଇର ଶିକାର ହୋଇଥିବା କୁହଯାଉଛି।
ବିଶେଷ କରି ଓସ୍କାର ଚିଟ୍ଫଣ୍ଡ କଂପାନୀ କେବଳ ଗୁଜରାଟରେ ଜମାକାରୀଙ୍କଠାରୁ ଶହେ କୋଟିରୁ ଅଧିକ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଓସ୍କାର ମାମଲାରେ କଂପାନୀ ମୁଖ୍ୟ ପ୍ରଭାସ ରାଉତ, ମୁନା ପାତ୍ରଙ୍କ ସହ ଗୁଜରାଟରୁ ଦୀପକ ଖେତ୍ରୀ ଏବଂ ସୁରତରୁ ୨ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ଓଲିଉଡ୍ ଫିଲ୍ମ ‘ଦଣ୍ଡା ବାଳୁଙ୍ଗା’ ଓ ‘ରଙ୍ଗିଲା ଟୋକା’ରେ ଲାଗିଥିଲା ଓସ୍କାର ଟଙ୍କା। ଏହା ବ୍ୟତୀତ ଓଲିଉଡ୍ର କିଛି କଳାକାର ଗୁଜରାଟ ଯାଇ କମ୍ପାନୀର ପ୍ରମୋସନ କରିଥିବା ଅଭିଯୋଗ ହୋଇଥିଲା।