ଦଳ ବିଜୟୀ କିନ୍ତୁ ଫେଲ୍‌ ମାରିଲେ ସଭାପତି: ପରାଜୟ ସ୍ୱୀକାର କଲେ ଦିଦି

ହାରିଗଲେ ଦିଦି

  • ପଶ୍ଚିମବଙ୍ଗରେ ଟିଏମ୍ସିର ବିପୁଳ ସତ୍ତ୍ୱେ ନିଜ ଆସନ ଜିତି ପାରିଲେନି ଦିଦି
  • ନନ୍ଦିଗ୍ରାମରେ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁଙ୍କଠାରୁ ହାରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
  • ସବୁ କସରତ ସତ୍ତ୍ୱେ ଫେଲ ମାରିଲା ବିଜେପିର ବଙ୍ଗ ବିଜୟ ଅଭିଯାନ
  • ହାରିଲେ ଦିଦି, ଜିତିଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ଜିତିଲା ଟିଏମ୍ସି, ହାରିଲେ ମମତା। ପଶ୍ଚିମବଙ୍ଗରେ ଟିଏମ୍ସିର ବିପୁଳ ବିଜୟ ସତ୍ତ୍ୱେ ନନ୍ଦିଗ୍ରାମ ଆସନରୁ ହାରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁଇ ଶହରୁ ଅଧିକ ଆସନ ଜିତି ଟିଏମସି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଆଡକୁ ମୁହାଁଇ ଥିଲେ ବି ନନ୍ଦ୍ରିଗ୍ରାମ ପରାଜୟ ଦଳ ପାଇଁ ବଡ଼ ଝଟକା ହୋଇଛି। ଏପଟେ ସବୁ ପ୍ରୟାସ ସତ୍ତ୍ୱେ ଦିଦିଙ୍କ ଗଡ଼ ଭାଙ୍ଗିବାରେ ବିଫଳ ହୋଇଛି ବିଜେପି। ତେବେ ବିଜେପି ପଶ୍ଚିମବଙ୍ଗରେ ସ୍ଥିତି ଆହୁରି ଦୃଢ କରିବା ସହ ମୁଖ୍ୟ ବିରୋଧୀ ଦଳ ଭାବେ ଆତ୍ମପ୍ରକାଶ କରିଛି। ଅନ୍ୟପକ୍ଷରେ ବାମଦଳ ଓ ଇଣ୍ଡିଆନ ସିକ୍ୟୁଲାର୍‌ ପ୍ରଣ୍ଟ-ISF ସହ ମେଣ୍ଟ କରି ନିର୍ବାଚନ ଲଢୁଥିବା କଂଗ୍ରେସ ପୁଣି ଧରାଶାୟୀ ହୋଇଛି।

ବିଜେପିର ବଙ୍ଗ ଅଭିଯାନ ଫେଲ। ବିକାଶକୁ ମାତ୍ ଦେଲା ଖେଲା ହବେ। ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ମହାବିଜୟ ହୋଇଛି। କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ମମତା। କଳ୍ପନା ଜଳ୍ପନାର ପରିସମାପ୍ତି ହେଲା ସ୍ପଷ୍ଟ ରାୟ ଦେଇଛନ୍ତି ପଶ୍ଚିମବଙ୍ଗବାସୀ। ବିପୁଳ ବହୁମତ ସହ ଦିଦିଙ୍କୁ ପିନ୍ଧାଇଛନ୍ତି ବିଜୟ ମୁକୁଟ। ସବୁ ଚେଷ୍ଟା, ସବୁ କସରତ ସତ୍ତ୍ୱେ ବଙ୍ଗ ଅଧିକାର କରିବାରେ ବିଫଳ ହୋଇଛି ବିଜେପି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣାର ଢେର ଆଗରୁ ରାଜ୍ୟରେ ସକ୍ରିୟ ହୋଇଥିଲା ବିଜେପି। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ମାଳ ମାଳ କେନ୍ଦ୍ରୀୟ ନେତା ମନ୍ତ୍ରୀ ପଶ୍ଚିମବଙ୍ଗରେ ପହଞ୍ଚି ଦଳ ପାଇଁ ପ୍ରଚାର କରିଥିଲେ।

୨ଶହ ଆସନ ଜିତିବା ଲକ୍ଷ୍ୟ ନେଇ ପୁରା ଦମରେ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ୧୦ ବର୍ଷର ଟିଏମସି ସରକାର ବିରୋଧୀ ହାଓ୍ୱାରୁ ଫାଇଦା ନେବାକୁ ଭରପୁର ଉଦ୍ୟମ ବି କରିଥିଲା। ତା ସହିତ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ଆଗ ଧାଡିର ଟିଏମସି ନେତା ପଦ୍ମ ଶିବିରରେ ସାମିଲ ହେବା ପରେ ବିଜୟ ସମ୍ଭାବନାକୁ ନେଇ ଆଶା ବାନ୍ଧିଥିଲା ବିଜେପି। ମାତ୍ର ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ରଣନୀତି ଆଧାରରେ ବାଙ୍ଗଲା ଆପନାର ମେଁ କି ଚାଇ ଓ ଖେଲା ହୋବେ ସ୍ଲୋଗାନ ଦେଇ ଭୋଟରଙ୍କୁ ପାଖକୁ ଯାଇଥିଲେ ଦିଦି। ବିଜେପି ଡବଲ୍ ଇଜିଂନ ସରକାର ଓ ବିକାଶ ହବେ ନାରା ଦେଇ ଏହାର ମୁକାବିଲା କରିଥିଲେ ବି ଦିଦିଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ବେଙ୍ଗଲବାସୀ।

ଟିଏମ୍ସି ବିଜୟ ଅଭିମୁଖୀ ଅଗ୍ରସର ହେଉଥିଲେ ହେଁ ଆଜି ଦିନ ତମାମ ଫୋକସରେ ରହିଥିଲା ନନ୍ଦିଗ୍ରାମ ଆସନ। ପୂର୍ବତନ ସାରଥୀ ଶୁଭେନ୍ଦୁ ଅଧିକାରୀ ଟିଏମ୍ସି ଛାଡି ବିଜେପିରେ ସାମିଲ ହେବା ପରେ ତାଙ୍କୁ ଏଠାରେ ସିଧାସଳଖ ଚ୍ୟାଲେଞ୍ଜ ଦେଇଥିଲେ ଦିଦି। ନିଜ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ଭାବନାତ୍ମକ ନିଷ୍ପତ୍ତି ଓ ଏହା ଦିଦିଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ଶେଷରେ ସତ ପ୍ରମାଣିତ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁଙ୍କୁଠାରୁ ହାରିଯାଇଛନ୍ତି ଦିଦି।

ଏପଟେ ଚଳିଚ ନିର୍ବାଚନରେ ପଶ୍ଚିମବଙ୍ଗରେ ଯେଭଳି ଭୋଟ ଧ୍ରୁବୀକରଣ ଘଟିଛି ତାହା ଅନ୍ୟ କୌଣସି ଇଲେକସନରେ ଦେଖିବାକୁ ମିଳିନଥିବ। ସଂଖ୍ୟାଲଘୁ ଭୋଟର ଟିଏମ୍ସି ସମର୍ଥନରେ ବିପୁଳ ମାତ୍ରାରେ ମତଦାନ କରିଥିବା କୁହାଯାଉଛି। ଫଳସ୍ୱରୂପ ଧାର୍ମିକ ନେତା ମୌଲାନା ଆବ୍ବାସ ସିଦ୍ଦିକିଙ୍କ ଇଣ୍ଡିଆନ ସିକ୍ୟୁଲାର୍‌ ଫ୍ରଣ୍ଟ ସହ ମେଣ୍ଟ କରିଥିଲେ ବି ବାମଦଳ ଓ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛନ୍ତି। ଅନ୍ୟପକ୍ଷରେ ବିଧାନସଭା ଫଳାଫଳ ସ୍ପଷ୍ଟ ହେବା ପରେ କେଇ ମାସ ହେଲା ବେଙ୍ଗଲରେ ଚରମସୀମାରେ ପହଞ୍ଚିଥିବା ରାଜନୈତିକ ତିକ୍ତତା ଓ ଉତ୍ତେଜନାପୂର୍ଣ୍ଣ ସ୍ଥିତି ପ୍ରଶମିତ ହେବା ଆଶା କରାଯାଉଛି।

You might also like