ବଙ୍ଗକୁ ନେଇ ବଢୁଛି ହୃଦସ୍ପନ୍ଦନ: କ୍ଷମତା ପାଇଁ ମୋଦି-ଦିଦି ହେବେ କି ଟକରା ଟକରି

ଲଢେଇ ହେବ ମୋଦି Vs ଦିଦି

କଲିକତା: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି କଲିକତାର ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି। ଲଗାତାର ଭାବରେ ମୋଦି-ଦିଦିଙ୍କ ସମର୍ଥକ ଆମ୍ନାସାମ୍ନା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳ ଗୁଡ଼ିକ ନିଜ ନିଜର ଆଭିମୁଖ୍ୟ ଭୋଟରଙ୍କ ସାମ୍ନାରେ ରଖୁଛନ୍ତି। କିନ୍ତୁ ଚଳିତ ବର୍ଷ ନିର୍ବାଚନ ଜିତିବା ଲାଗି ଦିଦିଙ୍କ ଦଳ ଟିଏମସି ପାଇଁ ଏକ ଚ୍ୟାଲେଞ୍ଜ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବଙ୍ଗ ଦଖଲ କରିବା ଲାଗି ଗେରୁଆ ଦଳର କେନ୍ଦ୍ରୀୟ ନେତାମାନେ ବାରମ୍ବାର ବଙ୍ଗ ଗସ୍ତରେ ଯାଉଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ବିଜେପି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ଲଗାତାର ତୃତୀୟ ଥର ପାଇଁ ସରକାର‌ରେ ଥିବା ମମତାଙ୍କୁ କିଏ ମୁକାବିଲା କରିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୧୬ରେ ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମାତ୍ର ୩ଟି ଆସନ ପାଇଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ଏହା ୧୮ ଟି ଲୋକସଭା ଆସନରେ ବିଜୟ ହୋଇଥିଲା । ଏହା ପରଠାରୁ ବିଜେପି ପଶ୍ଚିମବଙ୍ଗରେ ଏକ ବଡ଼ ଶକ୍ତି ଭାବେ ପରିଗଣିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ସଭାପତି ଘନ ଘନ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି। ଯେହେତୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ ତେଣୁ ମୋଦି-ଦିଦିଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେବ ବୋଲି ଚର୍ଚ୍ଚା ଧରିଛି। ଏ ପର୍ଯ୍ୟନ୍ତ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କୌଣସି ସୂଚନା ହସ୍ତଗତ ହୋଇନଥିଲେ ମଧ୍ୟ ସୌରଭ ଗାଙ୍ଗୁଲିଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

ବର୍ତ୍ତମାନ ସୁଦ୍ଧା ଗାଙ୍ଗୁଲି ରାଜନୀତିରେ ଯୋଗ ଦେଇନାହାନ୍ତି ହେଲେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏକ ଦଳରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ବି ହେଉଛି। ଯଦି ଆମେ ଗାଙ୍ଗୁଲିଙ୍କ ଉପରେ ନଜର ପକାଇବା ତେବେ ଜାଣିପାରିବା ଯେ, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା କାରଣରୁ ସେ ବାରମ୍ବାର ମେଡିକାଲରେ ମଧ୍ୟ ଭର୍ତ୍ତି ହୋଇଛନ୍ତି। କିନ୍ତୁ ସେ ରାଜନୀତିକୁ ଆସିବେ କି ନାହିଁ ସେନେଇ ବି କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ନିକଟରେ ବିଜେପିରେ ସାମିଲ ହୋଇଥିବା ଟିଏମ୍‌ସିର ପୂର୍ବତନ ଟାଣୁଆ ନେତା ସୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। କିନ୍ତୁ ଏଯାବତ୍‌ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନଥିବାରୁ ପଶ୍ଚିମବଙ୍ଗରେ ସିଧାସଳଖ ମୋଦୀ ଏବଂ ମମତାଙ୍କ ମଧ୍ୟ‌ରେ ଲଢ଼େଇ ହେବ ବୋଲି କୁହାଯାଉଛି। ରାଜନୀତିରେ ଗୋଟି ଚାଳନା କରିବାରେ ଦିଦି ବି କିଛି କମ ନୁହେଁ, ତେଣୁ ପୁଣି ଥରେ କ୍ଷମତା ଅଳଙ୍କୃତ କରିବାକୁ ଦିଦି ପ୍ରୟାସ କରୁଛନ୍ତି। ତେବେ ସମୟ ହିଁ କହିବ ପ୍ରକୃତରେ ଆଗାମୀ ଦିନରେ କିଏ ହେବେ ବଙ୍ଗର ମୁଖ୍ୟମନ୍ତ୍ରୀ।

 

You might also like