ଦଶ ଦିନରେ କମ୍ ହେଲା ଏକ ଲକ୍ଷ ସକ୍ରିୟ ସଂକ୍ରମିତ ସଂଖ୍ୟା

ଯୋଗୀ ସରକାରଙ୍କ ପ୍ରୟାସକୁ ପ୍ରଶଂସା କଲା WHO 

ଲକ୍ଷ୍ନୌ : ଦଶ ଦିନରେ କମିଲା ସଂକ୍ରମିତଙ୍କ ସଂଖ୍ୟା । କରୋନା ଭାଇରସକୁ କାବୁ କରିବାକୁ ଉତ୍ତରପ୍ରଦେଶରେ ଲଗାତାର କରୋନା କର୍ଫ୍ୟୁ ଲାଗୁ କରିବା ପରେ ସ୍ଥିତିରେ ସୁଧାର ଆସିଛି । ବିଗତ ୧୦ ଦିନରେ ଏକ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମ୍ ହୋଇଯାଇଛି । ଯୋଗୀ ଆଦିତ୍ୟନାଥ ସରକାରଙ୍କ ସ୍ୱାଗତଯୋଗ୍ୟ ପ୍ରୟାସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି ।

ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଦଶ ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ମୋଟ ସକ୍ରିୟ ସଂକ୍ରମିତ ମାମଲା ୯୪ ହଜାର ହ୍ରାସ ପାଇଛି। ଏପ୍ରିଲ୍ ୩୦ ସୁଦ୍ଧା ରାଜ୍ୟରେ କରୋନା ଭାଇରସର ଦ୍ୱିତୀୟ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ଏପ୍ରିଲ୍ ୩୦ ରେ ରାଜ୍ୟରେ ପ୍ରାୟ ତିନି ଲକ୍ଷ ଦଶ ହଜାର ସକ୍ରିୟ ସଂକ୍ରମିତ ରହିଥିଲେ । ବର୍ତ୍ତମାନ ଏହା ପ୍ରାୟ ଦୁଇ ଲକ୍ଷ ୧୬ ହଜାରକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ପ୍ରାୟ ୨୯ ହଜାର ଲୋକ ଭାଇରସକୁ ମାତ ଦେଇ ଘରକୁ ଫେରିଛନ୍ତି।

ଯୋଗୀ ସରକାରଙ୍କ ଟ୍ରେସ୍‌, ଟ୍ରାକ ଓ ଟେଷ୍ଟିଂ ପ୍ରକ୍ରିୟାକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO ) । ଭାରତର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ଗାଁ ଗାଁ ଯାଇଁ ଟେଷ୍ଟିଂ କରବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ସଂକ୍ରମିତ ଲୋକଙ୍କୁ ଶୀଘ୍ର ଆଇସୋଲେସନରେ ରଖିବା, ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଏବଂ ସେମାନଙ୍କ ସଂସ୍ପର୍ଶରେ ଲୋକଙ୍କୁ ତୁରନ୍ତ ଖୋଜିବାର ଉପାୟ ଅତ୍ୟନ୍ତ ପ୍ରଶଂସନୀୟ।

ସେହିପରି ୬୨ ଦିନରେ ପ୍ରଥମ ଥର ପାଇଁ ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୯,୯୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩.୫୫ ଲକ୍ଷ ସୁସ୍ଥ ହୋଇଛନ୍ତି । କ୍ରମାଗତ ପଞ୍ଚମ ଦିନ ପାଇଁ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂତନ ସଂକ୍ରମିତ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୬ ଲକ୍ଷ ୬୨ ହଜାର ୫୭୫କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୩ ହଜାର ୮ ଶହ ୭୬ ଜଣ । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୯ ହଜାର ୯ ଶହ ୯୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଆକ୍ଟିଭ କେସ୍ ୩୭ ଲକ୍ଷ ୧୫ ହଜାର ୨ ଶହ ୨୧ ଥିବା ବେଳେ ଏଯାଏ ସୁସ୍ଥ ହେଲେଣି ୧ କୋଟି ୯୦ ଲକ୍ଷ ୨୭ ହଜାର ୩୦୪ ଜଣ ।

You might also like