ସାମାନ୍ୟ ୩ଟି ଅଣ୍ଡା ପାଇଁ . . . . ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା

ଅଣ୍ଡା ଭାଗ ଲାଗି ଥାନାକୁ ପହଞ୍ଚିଗଲେ ଦମ୍ପତି

  • ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମହାଭାରତ
  • ଅଣ୍ଡା ଭାଗ ଲାଗି ଥାନାକୁ ପହଞ୍ଚିଗଲେ ଦମ୍ପତି
  • ମୁଁ ଖାଇଥାଆନ୍ତି, ଝିଅକୁ କାହିଁକି ଦେଇଦେଲୁ କହି ଉତକ୍ଷିପ୍ତ ହେଲେ ସଂପୃକ୍ତ ବ୍ୟକ୍ତି

ମୁମ୍ବାଇ : ସାମାନ୍ୟ ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି।  ଝଗଡ଼ା ତ ଝଗଡ଼ା, ଏତେ ଭୟଙ୍କର ଝଗଡ଼ା ଯେ ମାମଲା କୋର୍ଟକଚେରୀ ଯାଏ ପହଞ୍ଚି ଯାଇଛି । ୩ଟି ଅଣ୍ଡାକୁ ନେଇ ଉଭୟଙ୍କ ମଧ୍ୟରେ  ଭାଗ ନଛିଡ଼ିବାରୁ ଥାନାରେ ପହଞ୍ଚିଗଲେ ଦମ୍ପତି ।

ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲା ଅନ୍ତର୍ଗତ ସଖରଖେଡାରେ ଗାଁରେ ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ସ୍ୱାମୀ ସ୍ତ୍ରୀ ଏକ ଭିନ୍ନ ମାମଲା ନେଇ ଥାନାରେ ପହଞ୍ଚି ଯାଇଛନ୍ତି। ପାରିବାରିକ କଳହ କିମ୍ବା ଯୌତୁକ ପାଇଁ ନୁହେଁ ଅଣ୍ଡା ପାଇଁ ହୋଇଛି ମହାଭାରତ। ପ୍ରଥମେ ପ୍ରଥମେ ପୋଲିସ ବାବୁ ଉଭୟଙ୍କ ଝଗଡ଼ାକୁ ଗୁରୁତ୍ୱ ଦେଉନଥିବା ବେଳେ, ଅଣ୍ଡା ପାଇଁ ଝଗଡ଼ା ଆସି ଥାନାରେ ପହଞ୍ଚିବା କଥାରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ତା’ ପରେ ପୂରା କାହାଣୀ କହିବାକୁ କହିଥିଲେ।

ଶ୍ରମିକ ଭାବେ କାମ କରୁଥିବା ସ୍ୱାମୀ ଘଟଣାଦିନ ଘରକୁ ୩ଟି ଅଣ୍ଡା ଆଣି ଭୁଜିଆ କରିବା ପାଇଁ ସ୍ତ୍ରୀକୁ କହିଥିଲେ। ସ୍ୱାମୀ କଥା ମାନି ସ୍ତ୍ରୀ ଭୁଜିଆ  ତିଆରି କରିଥିଲେ, ହେଲେ ଭୁଜିଆ ଏତେ ଭଲ ଲାଗୁଥିଲା ଯେ ତାଙ୍କର କୁନି ଝିଅ ସବୁ ଖାଇଦେଲା। ଅନ୍ୟପଟେ କାମରୁ ଫେରି ସଂପୃକ୍ତ ବ୍ୟକ୍ତି ଜଣକ ଭୁଜିଆ ମାଗିବାରୁ ଆରମ୍ଭ ହୋଇଥିଲା କଳି। ଝିଅ ସବୁ ଭୁଜିଆ ଖାଇ ଦେଇଥିବା କଥା ଶୁଣି ଉତକ୍ଷିପ୍ତ ହୋଇଯାଇଥିଲେ ଓ ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲେ। ପରେ ଏହି ଝଗଡ଼ା ଥାନାରେ ପହଞ୍ଚିଥିଲା। ପୋଲିସ ଅଧିକାରୀ କହିଛନ୍ତି, ଆଗରୁ ଅନେକ ମାମଲାର ସମାଧାନ କରିଥିଲେ ହେଁ ଏପରି ମାମଲା ବିଲକୁଲ ନୂଆ ଓ ହାସ୍ୟାସ୍ପଦ।

ତେବେ ଉଭୟଙ୍କର ଝଗଡ଼ାର ସମାଧାନ ପାଇଁ ପୋଲିସ ସମସ୍ତ ଘଟଣା ଶୁଣି ସାରିବା ପରେ ଏକ ଉପାୟ ପାଞ୍ଚିଥିଲା। ଥାନା ବାବୁ ଜଣେ କର୍ମଚାରୀଙ୍କୁ ପଠାଇ ନିଜ ଟଙ୍କାରେ  ବଜାରରୁ ୩ଟି ଅଣ୍ଡା ଆଣିବାକୁ କହିଥିଲେ । ଅଣ୍ଡା ଆଣିବା ପରେ ଦମ୍ପତିଙ୍କୁ ଅଣ୍ଡା ଦେଇ ଥାନା ବାବୁ କହିଥିଲେ ଏହାକୁ ଭୁଜିଆ କରି ଖାଇନେବ। ଏପରି କହି ଦମ୍ପତିଙ୍କୁ ଘରକୁ ପଠାଇ ଦେଲେ। ଥାନା ବାବୁଙ୍କର ଏହି ଉପାୟରେ ଚୁଟକିରେ ମାମଲା ସମାଧାନ ହୋଇଗଲା।

You might also like