ଶ୍ରୀନଗର ସିଆରପିଏଫ୍ ସେକ୍ଟରର ପ୍ରଥମ ମହିଳା ଆଇଜି ହେଲେ ଚାରୁ ସିହ୍ନା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇରେ ଏବେ ସାମିଲ୍‌ ହେବେ ମହିଳା ଅଧିକାରୀ। ଶ୍ରୀନଗର ସେକ୍ଟରରେ ସିଆରପିଏଫର ଦାୟିତ୍ୱ ପ୍ରଥମଥର ଲାଗି ମହିଳା ପୋଲିସ୍ ଅଧିକାରୀଙ୍କୁ ମିଳିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ଆଇପିଏସ୍ ଅଧିକାରୀ ଚାହୁ ସିହ୍ନାଙ୍କୁ ଆତଙ୍କବାଦୀ ପ୍ରଭାବିତ ଶ୍ରୀନଗର ସେକ୍ଟରର ଆଇଜି ପଦବୀରେ ନିଯୁକ୍ତ କରିଛି। ଚାରୁ ପ୍ରଥମ ମହିଳା ଅଧିକାରୀ ଭାବେ ସିଆରପିଏଫ ଶ୍ରୀନଗର ସେକ୍ଟରର ଆଇଜି ହୋଇଛନ୍ତି।

ସିଆରପିଏଫ୍ ଶ୍ରୀନଗର ସେକ୍ଟରର ଆଇଜି ଭାବେ ନିଯୁକ୍ତ ହୋଇଥିବା ଚାହୁ ସିହ୍ନା ୧୯୯୬ ବ୍ୟାଚର ତେଲେଙ୍ଗାନା କ୍ୟାଡରର ଆଇପିଏସ୍ ଅଧିକାରୀ। ପ୍ରଥମଥର ଚାରୁଙ୍କୁ ଏଭଳି ଚ୍ୟାଲେଞ୍ଜିଂ କାର୍ଯ୍ୟ ଦିଆଯାଇନାହିଁ। ଏହା ପୂର୍ବରୁ ସେ ସିଆରପିଏଫ୍ ବିହାର ସେକ୍ଟରରେ ଆଇଜି ଭାବେ ନକ୍ସଲଙ୍କ ବିରୋଧରେ ଅପରେସନରେ ସାମିଲ୍‌ ରହିସାରିଛନ୍ତି। ଚାରୁ ବିହାର ଆଇଜି ଭାବେ ସିଆରପିଏଫରେ ଅନେକ ସଫଳ ନକ୍ସଲ ଅପରେସନ୍ କରିଛନ୍ତି।

ବିହାର ପରେ ତାଙ୍କୁ ଜମ୍ମୁ ଆଇଜିକୁ ଟ୍ରାନ୍ସଫର କରାଯାଇଥିଲା, ଯେଉଁଠାରେ ସେ ଦୀର୍ଘଦିନ ଧରି ସଫଳତାର କାର୍ଯ୍ୟ ସମ୍ପାଦନ କରିଥିଲେ। ଏହା ପରେ ସୋମବାର ତାଙ୍କର ଟ୍ରାନ୍ସଫର ଶ୍ରୀନଗର ସିଆରପିଏଫ୍ ସେକ୍ଟରକୁ କରାଯାଇଛି। ସିଆରପିଏଫର ବର୍ତ୍ତମାନ ଡାଇରେକ୍ଟର ଜେନେରାଲ୍ (ଡିଜି) ଥିବା ଏପି ମାହେଶ୍ୱରୀ ମଧ୍ୟ ୨୦୦୫ରୁ ଶ୍ରୀନଗର ସେକ୍ଟରର ଆଇଜି ପଦବୀରେ ରହିଆସିଛନ୍ତି।

୨୦୦୫ରେ ହିଁ ଶ୍ରୀନଗର ସିଆରପିଏଫ୍ ସେକ୍ଟର କାର୍ଯ୍ୟକାରୀ ହୋଇଥିଲା, ଯାହା ପରଠାରୁ ଏଠାରେ ଆଇଜି ସ୍ତରରେ କୌଣସି ମହିଳା ଅଧିକାରୀଙ୍କୁ ନିଯୁକ୍ତ କରାଯାଇନଥିଲା। ଭାରତୀୟ ସେନା ଓ ଜମ୍ମୁ ଓ କଶ୍ମୀରର ପୋଲିସ୍ ସହାୟତାରେ ଆତଙ୍କବାଦୀ ଅପରେସନକୁ ସମ୍ପାଦନ କରିବା ସିଆରପିଏଫର ସେକ୍ଟରର କାମ। ସିଆରପିଏଫ ଶ୍ରୀନଗର ସେକ୍ଟରର ଜମ୍ମୁ ଓ କଶ୍ମୀରର ତିନି ଜିଲ୍ଲା ଯଥା ବୁଡ଼ଗାଁ, ଗଣ୍ଡେରବାଲ ଏବଂ ଶ୍ରୀନଗର ଏବଂ ଲଦାଖର କେନ୍ଦ୍ରଶାସିତ ଅଞ୍ଚଳକୁ ଗଠିତ। ଏହି ସେକ୍ଟରରେ ୨ ରେଞ୍ଜ, ୨୨ କାର୍ଯ୍ୟକାରୀ ୟୁନିଟ୍ ଏବଂ ୩ ମହିଳା କମ୍ପାନୀ ମଧ୍ୟ ରହିଛି। ଏହାବ୍ୟତୀତ ଏହି ସେକ୍ଟରର ଗ୍ରୁପ୍ ସେଣ୍ଟର, ଶ୍ରୀନଗର ଉପରେ ପ୍ରଶାସନିକ ନିୟନ୍ତ୍ରଣ ମଧ୍ୟ ରହିଛି।

ଚାରୁଙ୍କ ସହ ୬ ଆଇପିଏସ୍ ଏବଂ ୪ ସିନିୟର କ୍ୟାଡର୍ ଅଧିକାରୀ ମଧ୍ୟ ସିଆରପିଏଫରେ ସାମିଲ୍‌ ହୋଇଛନ୍ତି। ଆଇପିଏସ୍ ଅଧିକାରୀଙ୍କ ମଧ୍ୟରେ ମହେଶ୍ୱର ଦୟାଲ୍ (ଝାଡ଼ଖଣ୍ଡ ସେକ୍ଟର), ପିଏସ୍ ରାନପିସେ (ଜମ୍ମୁ ସେକ୍ଟର), ରାଜୁ ଭାର୍ଗବ (ୱାର୍କ) ସାମିଲ୍‌ ଅଛନ୍ତି। କଶ୍ମୀରରେ ଅପରେସନ୍ ମୁଖ୍ୟ ଭାବେ ରାଜେଶ କୁମାରଙ୍କର ଟ୍ରାନ୍ସଫର ସଞ୍ଜୟ କୌଶିକଙ୍କ ସହ ଡେରାଡୁନ ସେକ୍ଟରକୁ କରାଯାଇଛି। ଅନ୍ୟ ଅଧିକାରୀଙ୍କ ମଧ୍ୟରେ ରାକେଶ କୁମାର ଯାଦବ, ଆରଏସଏସ୍ ବାହାଡ ଏବଂ ପ୍ରମୋଦ କୁମାର ପାଣ୍ଡେଙ୍କର ମଧ୍ୟ ଟ୍ରାନ୍ସଫର ହୋଇଛି।

You might also like