ଫାଇଜର ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଲେ ମହିଳା ଡାକ୍ତର, ICUରେ ଭର୍ତ୍ତି

ମେକ୍ସିକୋ ସିଟି: ଫାଇଜର BioNTech ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେବା ପରେ ଜଣେ ୩୨ ବର୍ଷୀୟ ମହିଳା ଡାକ୍ତର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଅନୁଧ୍ୟାନ ଚାଲିଥିବା ମେକ୍ସିକାନ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ପୃକ୍ତ ଡାକ୍ତରଙ୍କ ନାଁ ପ୍ରକାଶ କରାଯାଇ ନଥିବାବେଳେ ତାଙ୍କୁ ଉତ୍ତର ନୁଏଭୋ ଲିଓନ୍ ସ୍ଥିତ ପବ୍ଲିକ୍‌ ହସ୍ପିଟାଲ୍‌ର ICUରେ ଭର୍ତ୍ତି କରାଯାଇଛି। ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ଓ ଆଲର୍ଜି ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଫାଇଜର BioNTech ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ଅନୁମତି ମିଳିଛି। ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମତି ମିଳିଛି। ଫାଇଜର ଟିକାର ମାନ, ନିରାପତ୍ତା ଓ କେତେ ମାତ୍ରାରେ ଫଳପ୍ରଦ ହେବ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପରେ WHO ପକ୍ଷରୁ ଏପରି ଘୋଷଣା କରାଯାଇଥିଲା। ତେବେ ଫାଇଜର ଟିକାକୁ ରଖିବା ପାଇଁ ମାଇନସ ୬୦ରୁ ୯୦ ଡିଗ୍ରୀ ମଧ୍ୟରେ ରଖିବାକୁ ପଡୁଥିବାରୁ ଏହା ଅନେକ ଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଆମେରିକାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨ ଲକ୍ଷରୁ ଅଧିକ ଲୋକଙ୍କୁ ଫାଇଜର କମ୍ପାନୀ ଭାକ୍ସିନ ଦିଆ ସରିଲାଣି। ଆମେରିକାରେ ଏହି ଟିକାକରଣ କାମ ଡିସେମ୍ବର ୨ୟ ସପ୍ତାହରୁ ଆରମ୍ଭ ହୋଇଛି। ତେବେ ଆମେରିକାରେ ଏହି ଟିକା ନେବା ପରେ ଆଲର୍ଜି ହେଉଥିବା ଅଭିଯୋଗ ଆସିବେ ପରେ ଏଫଡିଏ ୫ଟି ମାମଲାକୁ ନେଇ ଯାଞ୍ଚ କରୁଛି।

ଅନ୍ୟପକ୍ଷେ, ଆମେରିକାର Centers for Disease Control and Prevention ସେଣ୍ଟର ପକ୍ଷରୁ ଚେତାବନୀ ଜାରି କରାଯାଇଛି ଯେ, କରୋନା ଟିକା ନେବା ପରେ ଯେଉଁମାନଙ୍କ ପାଖରେ ଆଲର୍ଜି ଲକ୍ଷଣ ଦେଖା ଦେଇଛି ସେମାନେ ଦ୍ୱିତୀୟ ଡୋଜ୍‌ ନେବେ ନାହିଁ।

ସୂଚନାଥାଉ କି, ଫାଇଜର ଭାକ୍ସିନକୁ ୮ଟି ଦେଶ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ବ୍ରିଟେନ ବ୍ୟତୀତ କାନାଡା, ବାହାରୀନ, ଆମେରିକା, ମେକ୍ସିକୋ, ମାଲେସିଆ ଏବଂ ସ୍ୱିଜରଲାଣ୍ଡ ସହ ଇସ୍ରାଏଲ୍‌ ମଧ୍ୟ ଏହାକୁ ମଞ୍ଜୁରୀ ଦେଇଛି। ଦୈନିକ ୬୦ ହଜାର ଲୋକଙ୍କୁ ଟିକା ଦେବା ପାଇଁ ଇଜରାଏଲ ଲକ୍ଷ୍ୟ ରଖିଛି।

କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀ ବ୍ୟବହାର ନେଇ Drug Controller General of India (DCGI) ଭିଜି ସୋମାନୀ ଅନୁମତି ଦେଇଛନ୍ତି।

ଉଭୟ ଟିକା ନିର୍ମାତା ସେମାନଙ୍କ ଟିକାର ପରୀକ୍ଷା ଏବଂ ସଫଳତା ନେଇ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଏହାକୁ ଅନୁଧ୍ୟାନ କରିବା ପରେ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ପ୍ରେସ୍‌ମିଟ୍‌ କରି DCGI ଭିଜି ସୋମାନୀ କହିଛନ୍ତି।

You might also like