ମିଆଁମାରରେ ଶାସନ କ୍ଷମତା ହାତକୁ ନେଲା ସେନା, ସୁ କୀଙ୍କ ସମେତ ଅନେକ ନେତା ଅଟକ
ନୂଆଦିଲ୍ଲୀ:ପଡୋଶୀ ଦେଶ ମିଆଁମାରରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ମିଆଁମାର ସେନା ଦେଶର ଶାସନ କ୍ଷମତା ନିଜ ହାତକୁ ନେଇଛି। ମିଆଁମାରର କାଉନ୍ସିଲର୍ ଆଙ୍ଗ ସାନ୍ ସୁ କୀ(Aung San Suu Kyi)ଙ୍କ ସମେତ ଶାସକ ଗୋଷ୍ଠୀର କିଛି ନେତାଙ୍କୁ ସେନା ଅଟକ ରଖିଛି। ଏ ନେଇ ମ୍ୟାଁମାର ସେନା ଟେଲିଭିଜନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମିଆଁମାର ସେନା ଷ୍ଟେଟ କାଉନ୍ସିଲର୍ ଅଙ୍ଗସାନ ସୁ କି, ରାଷ୍ଟ୍ରପତି ୟୁ ଓ୍ୱିନ୍ ମିଣ୍ଟ ଓ ଶାସନରେ ଥିବା ଅନ୍ୟ ବରିଷ୍ଠ ଦଳର ନେତାଙ୍କ ଘରେ ଆଜି ଭୋରୁ ଚଢ଼ାଉ କରି ସେମାନଙ୍କୁ ଅଟକ ରଖିଛି । ପୂର୍ବରୁ ସରକାର ଏବଂ ସେନା ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବଳେ ସେନା ଏପରି ପଦକ୍ଷେପ ନେଇଛି। ଏନେଇ ପ୍ରଥମେ ଆମେରିକା ପକ୍ଷରୁ ସୂଚନା ମିଳିଥିଲା । ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରତିକ୍ରିୟା ରଖି ଆମେରିକା ଚେତାବନୀ ଦେଇ କହିଛି।
ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମ୍ୟାମାର ସେନା ସୁ କୀଙ୍କୁ ଅଟକ ରଖିବା ପରେ ଏକ ବର୍ଷ ପାଇଁ ଦେଶରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛି। ସେନା ଏକ ବର୍ଷ ପାଇଁ ଦେଶର ଶାସନ କ୍ଷମତା ନିଜ ହାତକୁ ନେଇଛି। ସେନାର ଜେନେରାଲଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତି ଦିଆଯାଇଛି।