ଚୀନ୍‌କୁ ଚେକ୍ ଦେବାକୁ ଏଫ୍‌ଡିଆଇ ନୀତିରେ ସଂଶୋଧନ କଲା ଭାରତ

ନୂଆଦିଲ୍ଲୀ:  ଚୀନ୍‌କୁ ଚେକ୍ ଦେବାକୁ ଏଫ୍‌ଡିଆଇ ନୀତିକୁ ସଂଶୋଧନ କଲା ଭାରତ। ଏଣିକି ସବୁ ପଡ଼ୋଶୀ ରାଷ୍ଟ୍ରର କମ୍ପାନୀ କେନ୍ଦ୍ରର ଅନୁମୋଦନ ପରେ ହିଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିପାରିବେ। ଏନେଇ ଆଜି ଭାରତ ପକ୍ଷରୁ ସଂଶୋଧିତ FDI  ନୀତି ଘୋଷଣା କରାଯାଇଛି।

ନୂତନ ନୀତି ଅନୁଯାୟୀ, ଭାରତ ସୀମାବର୍ତ୍ତୀ ଦେଶଗୁଡ଼ିକୁ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଭାରତ ସହ ସୀମାବର୍ତ୍ତୀ ଦେଶ ଗୁଡ଼ିକର ଯେ କୌଣସି କମ୍ପାନୀ କିମ୍ବା ସେହି ଦେଶର କୌଣସି ନାଗରିକ ଯଦି ପୁଞ୍ଜିନିବେଶ କରିବାକୁ ଚାହାନ୍ତି ତେବେ ସରକାରୀ ଅନୁମତି ନେବା ଦରକାର ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ମାଲିକାନା ପରିବର୍ତ୍ତନ ହୁଏ, ତେବେ ମଧ୍ୟ ସରକାରୀ ଅନୁମତି ନେବାକୁ ପଡ଼ିବ।

ପୂର୍ବଭଳି ସେମାନେ ସଂୟକ୍ରିୟ ରୁଟ ମାଧ୍ୟମରେ ନିବେଶ କରିପାରିବେ ନାହିଁ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ପୂର୍ବରୁ ଦୁଇଟି ପ୍ରକ୍ରିୟାରେ ଭାରତରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦିଆଯାଉଥିଲା। ଗୋଟିଏ ପ୍ରକ୍ରିୟାରେ ସରକାରୀ ଅନୁମତି ନେବାକୁ ପଡୁଥିବା ବେଳେ ଅନ୍ୟ ପ୍ରକ୍ରିୟାରେ ସରକାରୀ ଅନୁମତି ନେବା ବାଧ୍ୟତାମୂଳକ ନଥିଲା। ନୂତନ ବିଦେଶୀ ପୁଞ୍ଜି ନିବେଶ ନୀତି ପରେ ସରକାରୀ ଅନୁମତି ନେବା ଆବଶ୍ୟକ ହୋଇଛି।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ନୂତନ ନୀତି ପରେ ଚୀନ କମ୍ପାନୀମାନଙ୍କ ଉପରେ ଲଗାମ ଲାଗିବ ବୋଲି ଆଶା କରାଯାଉଛି। ପୂର୍ବରୁ ବାଂଲାଦେଶ ଓ ପାକିସ୍ତାନ ପକ୍ଷରୁ ଭାରତରେ ପୁଞ୍ଜିନିବେଶ ପାଇଁ ସରକାରୀ ଅନୁମତି ନେବା ବାଧ୍ୟତାମୂଳକ ଥିଲା। ତେବେ ଚୀନ ସହ ଅନ୍ୟ ପଡ଼ୋଶୀ ଦେଶ ପାଇଁ ଏହା ବାଧ୍ୟତାମୂଳକ ନଥିଲା।

You might also like