ପୁଅର ଛାତି ଉପରେ ଛିଡ଼ା ହୋଇ ଜୀବନ ନେଇଗଲେ କରୋନା ସଂକ୍ରମିତ ବାପା

ପାଟନା: ତଳେ ପଡ଼ି ଛଟପଟ ହେଉଥାଏ ଭାଇ, ମୋତେ ବଞ୍ଚାଅ ବଞ୍ଚାଅ ବୋଲି କାନ୍ଦି କାନ୍ଦି ବିକଳରେ ଚିତ୍କାର କରୁଥାଏ। ହେଲେ କେହିନଥିଲେ ଜୀବନ ବଞ୍ଚାଇବା ପାଇଁ। ଘର ଭିତରେ ଭଉଣୀ ଥିଲେ ମଧ୍ୟ ଭାଇକୁ ସାହାଯ୍ୟ କରିପାରିନଥିଲେ। ଦୌଡ଼ି ଯାଇ ଭାଇର ଜୀବନ ବଞ୍ଚାଇବାକୁ ଗଲା ବେଳକୁ ସେତେବେଳକୁ ଭାଇର ଜୀବନ ଚାଲି ଯାଇଥିଲା। ଭଉଣୀଆଖି ସାମ୍ନାରେ ଚାଲିଗଲା ଭାଇର ଜୀବନ। ଭାଇ ପାଇଁ ରକ୍ଷାକବଚ ହୋଇ ଛିଡ଼ା ହୋଇପାରିନଥିଲା ଭଉଣୀ ଓ ସବୁଦିନ ପାଇଁ ଭାଇକୁ ହରାଇ ଦେଇଥିଲା। ସବୁଠାରୁ ବଡ଼ କଥା, ଏହି ୯ ବର୍ଷ ବାଳକର ହତ୍ୟାକାରୀ ଆଉ କେହି ନୁହଁନ୍ତି ବରଂ ନିଜ ବାପା। ନିଜ ସନ୍ତାନ ପାଇଁ ବାପାମା’ ସବୁବେଳେ ରକ୍ଷାକବଚ ହୋଇ ଛିଡ଼ା ହୋଇଥାନ୍ତି। ସନ୍ତାନର କିଛିବି ହୋଇଗଲେ ବାପାମା’ ଚିନ୍ତାରେ ପଡ଼ି ଯାଆନ୍ତି। ହେଲେ ଜଣେ ବାପା ପୁଅ ପାଇଁ ଯମ ସାଜି ଆସି ତାଙ୍କ ଜୀବନ ନେଇଯିବ ତାହା କେହି କେବେ ଭାବି ନଥିବେ। ନିଶାଗ୍ରସ୍ତ ହୋଇ ଜଣେ ବ୍ୟକ୍ତି ନିଜ ୯ ବର୍ଷ ସନ୍ତାନର ଛାତି ଉପରେ ଛିଡ଼ା ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି। ବିହାର ପାଟନାର କଙ୍କବାଗ ଥାନା ଅନ୍ତର୍ଗତ ମଲାହି ପକଡୀରେ ଏହି ହୃଦୟଥରା ଘଟଣା ଘଟିଛି। ଆଉ ଏସବୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ମାନବୀ। ପୁଅକୁ ହତ୍ୟା କରିବା ଅଭିଯୋଗରେ ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ମୃତ ୯ ବର୍ଷ ବାଳକର ନାଁ ନିତେଶ।

ମାନବୀଙ୍କ କହିବା ଅନୁଯାୟୀ, ନିତେଶ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ଏଥିରେ ବାପା ରାଗି ଯାଇଥିଲେ। ଭୋର ୪ଟା ସମୟରେ ସେ ଘରକୁ ଫେରିଥିଲେ। ଏହାପରେ ବାପା ତାଙ୍କ ହାତ,ଗୋଡ଼ ବାନ୍ଧି ନିର୍ଧୂମ ପିଟିଥିଲେ। ଯେତେବେଳେ ଭାଇର କାନ୍ଦିବା ସ୍ୱର ଶୁଣିଲି ପାଖକୁ ଯାଇ ଦେଖିଲି ଯେ, ବାପା ନିଶାଗ୍ରସ୍ତ ହୋଇ ଭାଇଙ୍କୁ ପିଟୁଛନ୍ତି। ଏଥିରେ ବାପାଙ୍କ ମନ ଭରିଲା ନାହିଁ ଯେ, ସେ ଭାଇଙ୍କ ତଣ୍ଟିରେ ଛିଡ଼ା ହୋଇଯାଇଥିଲେ। ତାଙ୍କ ଜୀବନ ଗଲା ପର୍ଯ୍ୟନ୍ତ ସେ ଭାଇଙ୍କ ତଣ୍ଟିରେ ଛିଡ଼ା ହୋଇ ରହିଥିଲେ। ଏହି ସମୟରେ ବାପା ନିଶାଗ୍ରସ୍ତ ଥିଲେ।

ମାନବୀ ଦୌଡ଼ି ଯାଇ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କଲା ବେଳକୁ ସେତେବେଳକୁ ନିତେଶଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହାଦେଖି ନିତେଶଙ୍କ ଭଉଣୀ ଚିତ୍କାର କରିଥିଲେ ଓ ସ୍ଥାନୀୟ ଲୋକ ଏହା ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ଗିରଫ ପରେ ଜଣାପଡ଼ିଥିଲା ବ୍ୟକ୍ତି ଜଣକ କରୋନା ପଜିଟିଭ୍‌। ଏହା ଜଣାପଡ଼ିବା ପରେ ପୋଲିସ୍ ଷ୍ଟେସନରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ଯେଉଁମାନେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ କୁହାଯାଇଛି।

ଜେରା ପରେ ଜଣାପଡ଼ିଛି, ଅଭିଯୁକ୍ତ ୩ଟି ବିବାହ କରିଥିଲେ। ମୃତ ନୀତେଶ ଓ ମାନବୀଙ୍କ ମା’ ହେଉଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱିତୀୟ ପତ୍ନୀ ଓ ତାଙ୍କର ମୃତ୍ୟୁ ହୋଇଯାଇଛି। ମାନବୀ ଅଭିଯୋଗ ଆଣିଛନ୍ତି, ବାପା ହିଁ ମା’ଙ୍କୁ ହତ୍ୟା କରିଛନ୍ତି।

You might also like