କ୍ୱାରେଣ୍ଟିନ୍‌ ନିୟମ ନମାନିବାରୁ ପୁଅକୁ ହତ୍ୟା

ଭୋପାଳ: କରୋନା କ୍ୱାରେଣ୍ଟାଇନ୍‌ ନିୟମ ପାଳନ ନ କରିବାରୁ ପୁଅକୁ ହତ୍ୟା କଲା ବାପା। ମଧ୍ୟପ୍ରଦେଶର ବାଲାଘାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଟେକଚନ୍ଦ୍ର। କରୋନା ପାଇଁ ବାପା, ପୁଅକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ଘଟିଛି। ଏହାପରେ ପୁଲିସ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଖବର ଅନୁଯାୟୀ, ପୁଅ ହାଇଦ୍ରାବାଦରୁ ଘରକୁ ଫେରିବା ପରେ ବାପା ଭାବିଥିଲେ, ଯଦି ପୁଅ କାରୋନା ଭାଇରସରେ ଆକ୍ରାନ୍ତ ଥିବ, ତେବେ ତା’ ପାଇଁ ଘର ଲୋକେ ଓ ଗାଁ ଲୋକେ ସଂକ୍ରମିତ ହେବେ। ଏନେଇ ବାପା ଭୟରେ ପୁଅକୁ ନିଜ ପୁଅକୁ ଘର ଭିତରକୁ ପଶିବାକୁ ଦେଇ ନଥିଲେ। ପୁଅକୁ କ୍ୱାରେଣ୍ଟିନ୍‌ରେ ରହିବାକୁ କହିଥିଲେ। କିନ୍ତୁ ପୁଅ ବାପାଙ୍କ କଥାକୁ ନ ଶୁଣିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଏକ ବାଡ଼ିରେ ପୁଅକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକଙ୍କ ଭାଇ ରୂପ ଚାନ୍ଦ କହିଛନ୍ତି ଯେ ମୋ ଭାଇ ଫେବୃଆରୀରେ କାମ କରିବାକୁ ସିକନ୍ଦରାବାଦ ଯାଇଥିଲେ। ଲକଡାଉନ୍ ଯୋଗୁ କାମ ବନ୍ଦ ହୋଇଯାଇଥିଲା। ପରେ ସେ ତାର ଅନ୍ୟ ସାଙ୍ଗମାନଙ୍କ ସହ ଚାଲି ଚାଲି ସେଠାରୁ ଘରକୁ ଫେରିଥିଲେ। ମେ‘ ୧ ତାରିଖରେ ସେ ତହସିଲବେହରରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କୁ ଗୋଟିଏ ଦିନ ପାଇଁ କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା। ପରେ ଗ୍ରାମ ପଞ୍ଚାୟତ କୁଙ୍ଗାଓରେ ଦୁଇ ଦିନ କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା। ତୃତୀୟ ଦିନରେ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇ ଘରକୁ ପଠାଇ ଦେଇଥିଲେ।

କିନ୍ତୁ ବାପା କାରୋନା ଭୟରେ ତାଙ୍କୁ ଘରେ ପଶିବାକୁ ଦେଇନଥିଲେ। କ୍ୱାରେଣ୍ଟାଇନ୍‌ରେ ରହିବାକୁ କହିଥିଲେ। ଏହି କଥାରେ ଉଭୟ ବାପା ଓ ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବାପା ରାଗିଯାଇ ଏକ ବାଡ଼ିରେ ପୁଅର ମୁଣ୍ଡକୁ ତିନି ଚାରି ଥର ପିଟିଥିଲେ। ଯାହାଫଳରେ ଟେକଚନ୍ଦ୍ର ତଳେ ପଡ଼ିଯାଇଥିଲେ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କୌଣସି ସୂତ୍ରରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଟେକଚନ୍ଦ୍ରଙ୍କ ବାପା ଭୀମଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ  ବିହାର ଏଏସପି ସୂଚନା ଦେଇଛନ୍ତି।

You might also like