ନଜରବନ୍ଦୀରୁ ମୁକୁଳିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନଜରବନ୍ଦୀ ରହିଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବେ ମୁକୁଳିବେ। ଏଥି ସହିତ ତାଙ୍କ ବିରୋଧରେ ଲାଗିଥିବା ପବ୍ଲିକ ସେଫ୍‌ଟି ଆକ୍ଟ ମଧ୍ୟ ହଟାଇ ଦିଆଯିବ। ୭ ମାସରୁ ଅଧିକ ଦିନ ନ୍ୟାଶନାଲ କନଫରେନସର ସଭାପତି ଫାରୁକ ଅବଦୁଲ୍ଲା ନଜରବନ୍ଦୀ ହୋଇ ରହିଥିଲେ। ଏ ନେଇ ଜମ୍ମୁ କଶ୍ମୀର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟ ନେତାଙ୍କ ସହ ଫାରୁକଙ୍କୁ ଅଗଷ୍ଟ ୫ ତାରିଖ ଗୃହବନ୍ଦୀ ଭାବେ ରଖାଯାଇଥିଲା। ଗତ ବର୍ଷ ଡିସେମ୍ବରରେ ଫାରୁକ୍ ଆବଦୁଲ୍ଲାଙ୍କ ବନ୍ଦୋବସ୍ତ ତିନିମାସ ବୃଦ୍ଧି କରାଯାଇଥିଲା। ଫାରୁକ୍ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି ଏବେ ବି ଗୃହବନ୍ଦୀ ରହିଛନ୍ତି। ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପବ୍ଲିକ ସେଫ୍ଟ ଆକ୍ଟ (ପିଏସଏ) ଲାଗୁ କରିଛନ୍ତି ସରକାର। ଉଭୟ ଏବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

କାଶ୍ମୀରରେ ନଜରବନ୍ଦୀ ଥିବା ସମସ୍ତ ନେତାଙ୍କୁ ତୁରନ୍ତ ଛାଡ଼ିବା ପାଇଁ  ଆଠ ବିରୋଧି ଦଳ ଏକାଠି ହୋଇ ବିଜେପି ନେତୃତ୍ୱାଧୀନ ସରକାରଙ୍କ ପାଖରେ ଗତକିଛି ଦିନ ତଳେ ଦାବି ଜଣାଇଥିଲେ।

ପିଡିପି ସାଂସଦ ମୀର ମହମ୍ମଦ ଫୟାଦ କହିଛନ୍ତି, ଫାରୁକଙ୍କ ମୁକ୍ତି ଖବର ଶୁଣି ଆମେମାନେ ଖୁସି। ତେବେ ଆମେ ଦାବି କରୁଛୁ ମେହବୁବା ମୁଫତି ଓ ଉମର ଅବ୍ଦୁଲାଙ୍କୁ ମଧ୍ୟ ମୁକ୍ତି ଦିଆଯାଉ।

ଗତବର୍ଷ ଅଗଷ୍ଟରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଏହାପରେ ହିଂସା ଓ ଅନ୍ୟାନ୍ୟ ପାରିପାର୍ଶିକ ସ୍ଥିତିକୁ ଦେଖି ଅନେକ ନେତାଙ୍କୁ ଅଟକ ରଖିଥିଲା ପ୍ରଶାସନ। କାଳକ୍ରମେ ସରକାରଙ୍କ ସର୍ତ୍ତ ଆଧାରରେ କିଛି ନେତା ଜେଲରୁ ବାହାରିଛନ୍ତି।

 

You might also like