ଆଜିଠୁ ଅନଶନ କରିବେ ଚାଷୀ

ନୂଆଦିଲ୍ଲୀର ସୀମାରେ ଚାଷୀମାନେ ଆଜିଠାରୁ ଆନ୍ଦୋଳନକୁ ଆହୁରି ତୀବ୍ରକରିଛନ୍ତି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସୀମାରେ ଚାଷୀମାନେ ଆଜିଠାରୁ ଆନ୍ଦୋଳନକୁ ଆହୁରି ତୀବ୍ରକରିଛନ୍ତି। ଆଜି ସଂପୂର୍ଣ୍ଣ ଭାବେ ଉପବାସୀ ରହି ପ୍ରତୀକାତ୍ମକ ଅନଶନ କରିବେ ଚାଷୀ। ଦିଲ୍ଲୀର ଚାରିପଟେ ଆନ୍ଦୋଳନରତ କୃଷକମାନେ ଉପବାସ ରହିବେ ବୋଲି ଗତକାଲିଠାରୁ ଘୋଷଣା କରିଛନ୍ତି। ଏହାସହ ହରିଆଣାରୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାଜପଥରେ ଥିବା ଟୋଲ୍ ବୁଥରେ ଡିସେମ୍ବର ୨୫ରୁ ୨୭ ଯାଏ ଟୋଲ୍ ଆଦାୟ ବନ୍ଦ ରଖିବେ ବୋଲି ମଧ୍ୟ ସୂଚନା ରହିଛି। ଏହାସହ କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ତାଙ୍କର ଅନ୍ୟ କୌଣସି କଥାରେ ବୁଝାମଣା କରାଯିବ ନାହିଁ ବୋଲି ଚାଷୀ ନେତାମାନେ ସ୍ପଷ୍ଟ କରି ଦେଇଛନ୍ତି।

କେବଳ ଏତିକି ନୁହେଁ, ଚାଷୀମାନେ ଡିସେମ୍ବର ୨୩ରେ କୃଷକ ଦିବସ ପାଳନ କରିବେ ବୋଲି ଚାଷୀ ନେତା କହିଛନ୍ତି। ସେପଟେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। କେବେ ଆଲୋଚନା ହେବ ଓ କେଉଁ ପ୍ରସଙ୍ଗରେ ଆଲୋଚନା କରାଯିବ ସେନେଇ ଜଣାଇବାକୁ ଆନ୍ଦୋଳନରତ ୪୦ଟି କୃଷକ ସଂଗଠନକୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ସଚିବ ବିବେକ ଅଗ୍ରଓ୍ୱାଲ। କୃଷି ଆଇନର କେଉଁ କେଉଁ ବ୍ୟବସ୍ଥାରେ ସେମାନଙ୍କ ଆପତ୍ତି ରହିଛି, ତାହାର ସଂଶୋଧନ ଲାଗି ପ୍ରସ୍ତାବ ଦେବାକୁ ଚାଷୀ ନେତାଙ୍କୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଉପଯୁକ୍ତ ରାସ୍ତାରେ ଏ ଆନ୍ଦୋଳନ ସମାପ୍ତ ଲାଗି ଖୋଲା ହୃଦୟରେ ଆଲୋଚନା ଲାଗି ଆଗେଇ ଆସିବାକୁ ସଚିବ ନିବେଦନ କରିଛନ୍ତି। ପୂର୍ବରୁ ସରକାର ଓ ଚାଷୀଙ୍କ ମଧ୍ୟରେ ୫ଟି ଆଲୋଚନା ହୋଇଥିଲେ ବି ସମାଧାନ ହୋଇପାରିନଥିଲା।

You might also like