ଚାଷୀ ଆନ୍ଦୋଳନ: ଜୟପୁର-ଦିଲ୍ଲୀ ହାଇୱେ ଅବରୋଧ କରିବା ପାଇଁ ପହଞ୍ଚିଲେ ଚାଷୀ
ନୂଆଦିଲ୍ଲୀ: ଆଜି ୧୭ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ଆଜି ଅଧିକ ତ୍ରୀବ କରିବାକୁ ଯୋଜନା ରଖିଛନ୍ତି ଚାଷୀ। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଅବରୋଧ କରିବେ ଚାଷୀ। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ସୀମା ଓ ଆଖପାଖ ଅଞ୍ଚଳରେ ପୋଲିସ୍ ଫୋର୍ସକୁ ବଢ଼ାଯାଇଛି।
ରାଜସ୍ଥାନ ଓ ହରିୟାଣାକ ସଂଯୋଗ କରୁଥିବା ଜୟସିଂହପୁର-ଖେଡା ସୀମାରେ ଚାଷୀଙ୍କ ଭିଡ଼ ବଢୁଛି । ବର୍ଡର ପାଖରେ ଗ୍ରାମାଞ୍ଚଳ ଚାଷୀ ସକାଳୁ ସକାଳୁ ପହଞ୍ଚିବାରେ ଲାଗିଛନ୍ତି। ଆନ୍ଦୋଳନରତ ଚାଷୀ କହିଛନ୍ତି, ରବିବାର ଦିଲ୍ଲୀ-ଜୟପୁର ରାଜମାର୍ଗ ଅବରୋଧ କରିବା ପାଇଁ ହଜାର ହଜାର ଚାଷୀ ଏକ ଟ୍ରାକ୍ଟର ରାଲି କରିବେ।
ଏହାକୁ ଦୃଷ୍ଟିରେ ରଖି କେବଳ ଗୁରୁଗ୍ରାମରେ ୪ ହଜାର ପୋଲିସ୍ ମୁତୟନ କରାଯାଇଛି । କିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବନି ସେ ନେଇ ଧ୍ୟାନ ରଖାଯାଇଛି। ସେପଟେ ହରିୟାଣା-ଦିଲ୍ଲୀ ସୀମା ଗାଜିପୁର ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି।
ଏପଟେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ୍ ଗତକାଲି ଚାଷୀଙ୍କ ସହ ଆଲୋଚନା ପାଇଁ ସରକାରଙ୍କ ଦ୍ୱାର ସବୁବେଳେ ବାଟ ଖୋଲା ଥିବା କହିଥିଲେ ହେଲେ ଚାଷୀ ଆନ୍ଦୋଳନ ଏବେ ଅର୍ବାନ୍ ନକ୍ସଲ ଓ ବାମପନ୍ଥୀଙ୍କ ହାତକୁ ଚାଲିଯାଇଥିବା କହିଥିଲେ।