ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ଉପରେ ଆଲୋଚନା ଲାଗି ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ଖଣ୍ଡନ କରିଛନ୍ତି ଚାଷୀ।  ଆଲୋଚନା ପୂର୍ବରୁ କୌଣସି ସର୍ତ୍ତ ରଖାଯିବାକୁ ଚାଷୀ ବିରୋଧ କରିଛନ୍ତି । ସରକାର ଖୋଲା ହୃଦୟରେ ଚାଷୀଙ୍କ ସହ ଆଲୋଚନା କରନ୍ତୁ ବୋଲି ଦିଲ୍ଲୀ ସୀମାରେ ଡେରା ପକାଇଥିବା ଆନ୍ଦୋଳନକାରୀ ଚାଷୀ କହିଛନ୍ତି।

ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କୁ ନେଇ ଗଠିତ ୭ ଜଣିଆ କମିଟି ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଚାଷୀଙ୍କୁ ନୂଆ ବିଲର ଉପାଦେୟତା ସଂପର୍କରେ ନ ବୁଝାଇ ସରକାର ବିଲ୍‌କୁ ନେଇ ଏକ ପ୍ରସ୍ତାବ ରଖନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀରେ ଯେଭଳି ପୋଲିସ ମୁତୟନ କରାଯାଇଛି ତାହା ଚାଷୀଙ୍କ ମନରେ ଭୟ ଓ ଆଶଙ୍କା ସଂଚାର କରୁଥିବା ଆନ୍ଦୋଳନକାରୀ କହିଛନ୍ତି । ଡିସେମ୍ବର ୩ ତାରିଖରେ ଚାଷୀଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି । ତେବେ ତାପୂର୍ବରୁ ଚାଷୀମାନେ ରାଜଧାନୀ ନିକଟବର୍ତ୍ତୀ ବୁରାଡ଼ି ପଡ଼ିଆକୁ ଚାଲି ଯାଆନ୍ତୁ ବୋଲି ସରକାର ଚାହୁଁଛନ୍ତି । ମାତ୍ର ଆନ୍ଦୋଳନକାରୀ ଏଥିରେ ରାଜି ନାହାନ୍ତି ।

ତେଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍‌ କି ବାତ୍ କାର୍ଯ୍ୟକ୍ରମରେ କୃଷି ସଂସ୍କାର ସପକ୍ଷରେ ମତ ଦେଇଛନ୍ତି ।ଏହା କୃଷକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

 ଅନ୍ୟପକ୍ଷରେ ଆଲୋଚନା ପ୍ରସ୍ତାବକୁ ପଞ୍ଜାବର ଚାଷୀମାନେ ଅଗ୍ରାହ୍ୟ କରିଦେବା ପରେ ବିଜେପି ନେତାମାନେ   ଆଲୋଚନା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରମୁଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ବାସଭବନରେ ପହଞ୍ଚି ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।  ଦୀର୍ଘ ଦୁଇ ଘଣ୍ଟା ଧରି ବରିଷ୍ଠ ନେତାମାନେ ଚାଷୀଙ୍କ ଆନ୍ଦୋଳନ ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।

You might also like