ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀରେ ବିରାଟ କୃଷକ ସମାବେଶ ପାଇଁ ଯୋଜନା ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ କେରଳରୁ ଆସିଥିବା ଚାଷୀମାନେ ଯୋଜନା କରିଥିବାବେଳେ ସେମାନଙ୍କୁ ଦିଲ୍ଲୀକୁ ଆସିବା ପାଇଁ ଅନୁମତି ଦେଇ ନାହାନ୍ତି ସରକାର।  କରୋନା ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ କୌଣସି ସମାବେଶ ଉପରେ କଟକଣା ଲଗାଇଛନ୍ତି ସରକାର।

ଚାଷୀମାନେ ଯେପରି ଦିଲ୍ଲୀକୁ ପଶି ନ ପାରିବେ, ସେଥିଲାଗି ଦିଲ୍ଲୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଗୁଡ଼ିକୁ ସିଲ୍ କରାଯାଇଛି। ନୋଏଡ଼ା-ଦିଲ୍ଲୀ ସୀମା, ଦିଲ୍ଲୀ-ୟୁପି ବର୍ଡର, ଗୁରୁଗ୍ରାମ-ଦିଲ୍ଲୀ, ଦିଲ୍ଲୀ-ଫରିଦାବାଦ ସୀମା ରାସ୍ତାକୁ ବ୍ୟାରିକେଡ୍ କରାଯାଇ ବନ୍ଦ କରାଯାଇଛି॥ ସେପଟେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କ ନିର୍ଦ୍ଦେଶରେ ପଞ୍ଜାବ ଓ ହରିଆଣା ସୀମା ରାସ୍ତାକୁ ବନ୍ଦ କରି ଦିଆଯାଇଛି ।

ପଟିଆଲା ବର୍ଡରରେ ପୋଲିସ କିଛି ଟ୍ରକକୁ ଅଟକାଇଛି ଯେମିତି କି ଚାଷୀ ଆଗକୁ ଯାଇ ପାରିବେ ନାହିଁ। ହେଲେ ଚାଷୀ ଟ୍ରକକୁ ଭାଙ୍ଗିବା ଆରମ୍ଭ କରିବା ସହ ଆଗକୁ ଯିବାକୁ ଚେଷ୍ଟା କରିବାରୁ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ପାଣି ମାଡ କରିଛି।

ଚାଷୀଙ୍କୁ ଘଉଡ଼ାଇବା ଲାଗି ଓ୍ୱାଟର କ୍ୟାନନ୍‌ ଓ ଆଣ୍ଟି ରାୟଟ ଭେହିକିଲ୍ ମୁତୟନ କରାଯାଇଛି । ଏହାସହ ଗୋଟିଏ ସ୍ଥାନରେ ଏକତ୍ରିକରଣ ରୋକିବାକୁ ନିଷେଧାଦେଶ ଜାରି କରିଛନ୍ତି ହରିଆଣା ସରକାର। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ହରିଆଣା ଓ ପଞ୍ଜାବ ମଧ୍ୟରେ ବସ୍ ଚଳାଚଳ ବନ୍ଦ ରଖାଯାଇଛି ।

ତଥାପି ପଞ୍ଜାବରୁ ଆସିଥିବା ଚାଷୀମାନେ ଗତକାଲିଠାରୁ ହରିଆଣା ସୀମାରେ କ୍ୟାମ୍ପ କରି ରହିଥିଲେ । ଆଜି ଆନ୍ଦୋଳନକୁ ଜୋରଦାର କରିଛନ୍ତି । ସାଙ୍ଗରେ ଶୀତ ବସ୍ତ୍ର, ରାସନ ସାମଗ୍ରୀ ଓ ପାଣି ଗାଡ଼ି ଆଣିଛନ୍ତି ଚାଷୀ । ଯେଉଁ ସ୍ଥାନରେ ସେମାନଙ୍କୁ ରୋକାଯାଇଛି, ସେହିଠାରେ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ନେତା କହିଛନ୍ତି ।

ଗତକାଲି ହରିଆଣାର ଚାଷୀମାନେ ବିକ୍ଷୋଭ କରିଥିଲେ ବି ଖଟ୍ଟର ସରକାର ସେମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ମଧ୍ୟପ୍ରଦେଶରୁ ସମାଜସେବୀ ମେଧା ପାଟକରଙ୍କ ନେତୃତ୍ୱରେ ଆସୁଥିବା ଚାଷୀ ଶୋଭଯାତ୍ରାକୁ ଉତ୍ତରପ୍ରଦେଶର ଆଗ୍ରାରେ ରୋକାଯାଇଛି।

ଅନ୍ୟପକ୍ଷେ ଚାଷୀଙ୍କୁ ରୋକିବା ପାଇଁ ପୋଲିସ ପାଣି ମାଡ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଆସିଥିବା ଚାଷୀଙ୍କୁ ରୋକାଯିବା ଉଚିତ୍‌ ନୁହେଁ। କେଜରିୱାଲ ଗୁରୁବାର ଟ୍ୱିଟ କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ବିଲ୍‌ ଚାଷୀ ବିରୋଧୀ ଅଟେ। ଏହି ବିଲ ପ୍ରତ୍ୟାହାର କରିବା ପରିବର୍ତ୍ତେ ଚାଷୀଙ୍କୁ ଶାନ୍ତପୂର୍ଣ୍ଣ ଆନ୍ଦୋଳନ କରିବାରୁ ବଞ୍ଚିତ କରାଯାଉଛି। ଚାଷୀଙ୍କ ଉପରେ ଏପରି ଅତ୍ୟାଚାର ଠିକ୍ ନୁହେଁ।’

 

 

You might also like