୬ରୁ ତୀବ୍ର ହେବ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ: ଦେଶରେ ଚାଷୀଙ୍କ ଆନ୍ଦୋଳନ ଜୋର ଧରୁଛି। ଆସନ୍ତା ୬ତାରିଖରୁ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ କରିବେ। ଏହି ୬ ତାରିଖରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମସ୍ତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ ଅବରୋଧ କରିବେ ବୋଲି ଭାରତୀୟ କିଶାନ ସଂଘ ଚେତାନବୀ ଦେଇଛି। ଚାଷୀ ନେତା ବଲବୀର ସିଂ ରାଜେୱାଲା ଏବଂ ଯୋଗେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି।

ଏପଟେ ଗାଜିପୁର ସୀମାରେ ପହଞ୍ଚି ଦିଲ୍ଲୀ ପୋଲିସ କମିଶନର ଏସ.ଏନ ଶ୍ରୀବାସ୍ତବ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ଯେଉଁଭଳି ଭାବେ ପୋଲିସ କର୍ମୀ ଅହରହ କାର୍ଯ୍ୟ କରିଚାଲିଛନ୍ତି, ସେନେଇ ପୋଲିସ କମିଶନର ପ୍ରଶଂସା କରିଛନ୍ତି। ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ଉତ୍ତର ପ୍ରଦେଶ ଗାଜିପୁର ବର୍ଡରରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି।

ଏମିତିକି ଦିଲ୍ଲୀ ପୋଲିସ ପକ୍ଷରୁ ଆକାଶ ମାର୍ଗରୁ ଚାଷୀଙ୍କ ଉପରେ ନଜର ରଖାଯାଇଛି। ଦୁଇ ରାଜ୍ୟର ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ସାଧାରଣତନ୍ତ୍ର ଦିବସରେ ଚାଷୀ ଅପ୍ରୀତିକର ପରିସ୍ଥିତି ଉପୁଜାଇ ଥିବାରୁ ଆଗକୁ ଯେଭଳି ଏପରି ପୁନରାବୃତ୍ତି ନହୁଏ ତାହା ଉପରେ ନଜର ରଖାଯାଇଛି।

ପ୍ରକାଶଥାଉକି ଯେଉଁ ଲାଲକିଲାରେ କେବଳ ଦେଶର ଅଖଣ୍ଡତାର ପରିଚୟର ପ୍ରତୀକ ତ୍ରିରଙ୍ଗା ଉଡ଼େ, ସେ ଐତିହାସିକ ସ୍ଥାନକୁ କବ୍‌ଜା କରି ଆନ୍ଦୋଳନ ନାଁରେ ବିକ୍ଷୋଭକାରୀ ନିଜର ଝଣ୍ଡା ଉଡ଼ାଇଲେ। ଏମିତିକି ଦେଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତିଶ୍ରୁତିର ଧଜ୍ଜିଆ ଉଡ଼ାଇ ତଲଓ୍ୱାର, ଲାଠି ଓ ପଥର ମାଡ଼ କରି ହିଂସା ସୃଷ୍ଟି କରିଥିଲେ।

ସେପଟେ ଟ୍ରାକ୍ଟର ରାଲି ବେଳେ ହିଂସାକୁ ନେଇ ଭାରତ କିଷାନ ସଂଘର ନେତା ରାକେଶ ଟିକାୟତ ପ୍ରତିକ୍ରିୟା ରଖି କହିଥିଲେ ଯେ ରାଜନୈତିକ ଦଳର ଲୋକେ ଚାଷୀ ଆନ୍ଦୋଳନ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ତାସହ ହିିସଂକାଣ୍ଡ ଘଟାଇଥିବା ଲୋକ ଆମ ଲୋକ ନୁହଁନ୍ତି।

ଜାନୁଆରୀ ୨୬ରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ନାଁରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ସିଂଘୁ ସୀମାରେ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକେ ଏବଂ ଚାଷୀ ସାମ୍ନାସାମ୍ନି ହୋଇଥିଲେ।ଚାଷୀମାନେ ତୁରନ୍ତ ଆନ୍ଦୋଳନସ୍ଥଳ ଛାଡିବାକୁ ସ୍ଥାନୀୟ ଲୋକମାନେ ଦାବି କରିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଏହି ଏକ୍ସପର୍ଟ କମିଟି ପାଖରେ ଅଭିଯୋଗ କରିବାକୁ ସୁପ୍ରିମ୍‌କୋର୍ଟ ଚାଷୀଙ୍କୁ କହିଥିଲେ। ଏହି କମିଟି ରିପୋର୍ଟ ଦେବା ପରେ କୋର୍ଟ ଶୁଣାଣି କରିବେ ବୋଲି କହିଥିଲେ।

You might also like