ବଜେଟ୍‌ର ହୃଦୟରେ ଗାଁ ଓ କୃଷକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୨୦୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ବଜେଟ୍‌ରେ କେତେକ ଜିନିଷର ଆମଦାନୀ ଶୁଳ୍କ କମାଇଯାଇଛି ଓ ବଢ଼ାଯାଇଛି। କେତେ କ୍ଷତ୍ରରେ ନୂଆ ପଦକ୍ଷେପ ନିଆଯାଇଥିବା ବେଳେ ପୁରୁଣା ଯାନବାହାନ ନେଇ ହଟାଇବାକୁ ପଦକ୍ଷେପ ନେଇଛନ୍ତି ସରକାର। ତେବେ ଆଜିର ବଜେଟ୍‌ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଜେଟ୍‌କୁ ସ୍ୱାଗତ କରି ଏହାକୁ ମହତ୍ୱପୂର୍ଣ୍ଣ କହିବା ସହିତ ଏହା ସବୁ ବର୍ଗଙ୍କ ପାଇଁ ବୋଲି ପ୍ରଧାନନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୧ ବଜେଟ ଅସାଧାରଣ ପରିସ୍ଥିତିରେ ଉପସ୍ଥାପନ କରାଯାଇଛି। ଏଥିରେ ଯଥାର୍ଥତା ରହିଛି ଓ ବିଶ୍ୱାସ ବି ରହିଛି। କରୋନା ପୂରା ମାନବ ଜାତିକୁ ଦୋହଲାଇ ଦେଇଥିବା ବେଳେ ଏଭଳି ସ୍ଥିତିରେ ଆଜିର ବଜେଟ୍‌ ଆତ୍ମବିଶ୍ୱାସକୁ ଉଜାଗର କରିବ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆତ୍ମନିର୍ଭରତା ଦୃଷ୍ଟିରୁ ଉପସ୍ଥାପିତ ହୋଇଥିବା ଏହି ବଜେଟ୍‌ ସବୁ ବର୍ଗଙ୍କ ପାଇଁ ହୋଇଛି। ଦେଶର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବା, ନୂଆ ସମ୍ଭାବନା ବୃଦ୍ଧି କରିବା, ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା, ମାନବ ସମ୍ଭଳକୁ ଏକ ଉତ୍ତମ ଦିଗ ଦେବା ସହିତ ନିର୍ମାଣ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଓ ଆଧୁନିକତାର ସହିତ ଆଗକୁ ବଢ଼ି ସୁଧାର ଆଣିବା ପାଇଁ ବଜେଟ୍‌ ହୋଇଛି।

ସରଳ ଜୀବନଯାପନ ବା ଇଜି ଅଫ୍ ଲିଭିଂକୁ ପ୍ରୋତ୍ସାହନ କରିବା ପାଇଁ ନିୟମ ଓ ପ୍ରକ୍ରିୟାକୁ ସରଳ କରିବାକୁ ଏହି ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି। ଫଳରେ ଏହା ବ୍ୟକ୍ତିଗତ, ପୁଞ୍ଜିନିବେଶକାରୀ, କାରଖାନା, ଓ ନିର୍ମାଣ କ୍ଷେତ୍ରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ମୋଦି କହିଛନ୍ତି। ଆଜିର ବଜେଟ୍ ପାଇଁ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅନୁରାଗ ଠାକୁର ଓ ତାଙ୍କର ପୂରା ଟିମ୍‌କୁ ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ବଜେଟ୍‌କୁ ପ୍ରଶଂସା କରି ମୋଦି କହିଛନ୍ତି ଆରମ୍ଭରୁ ହିଁ ବଜେଟକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଏମିତି ବଜେଟ୍‌ ବହୁତ କମ୍ ଦେଖିବାକୁ ମିଳେ। ଅନେକ ଭାବୁଥିଲେ ଯେ ଚଳିତ ବର୍ଷର ବଜେଟ୍‌ ସାଧାରଣ ନାଗରିଙ୍କ ଉପରେ ବୋଝ ବଢ଼ାଇବ। କିନ୍ତୁ ଫିଜିକାଲ ସଷ୍ଟେନେବଲିଟି ପ୍ରତି ଥିବା ସରକାରଙ୍କର ଦାୟିତ୍ୱକୁ ଧ୍ୟାନ ରଖି ବଜେଟ ଆକାର ବଢ଼ାଇବାରେ ଜୋର୍ ଦିଆଯିଛି। ବଜେଟ୍‌କୁ ସ୍ୱଚ୍ଛ କରିବାକୁ ଆମ ସରକାର ନିରନ୍ତର ପ୍ରୟାଶ କରିଛନ୍ତି। ଆଜି ବଜେଟ୍ ଶୁଣିବା ପରେ ଅର୍ଥନୀତି ବିଦ୍ୱାନମାନେ ଏହାକୁ ପ୍ରଶଂସା କରିଥିବାରୁ ବହୁତ ଖୁସୀ ଲାଗୁଛି ବୋଲି ପ୍ରଧାନମନ୍ତ୍ରୀ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି।

ବିଶେଷ କରି ସ୍ୱାସ୍ତ୍ୟ ଓ ଆର୍ଥିକ ସ୍ଥିରତା କ୍ଷେତ୍ରରେ ବୃଦ୍ଧି ଆଣିବା ଲକ୍ଷ୍ୟ କରି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି। ବିଶେଷକରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଧ୍ୟାନ ଦିଆଯାଇଛି। ଜାନ ଓ ଜାହାନ ଏଇ ଦୁଇଟି ଦ୍ରୁତ ଗତିରେ ବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାକୁ ଜୋର୍‌ ଦେବାକୁ ଏମ୍‌ଏସ୍‌ଏମ୍‌ଇ ଓ ନିର୍ମାଣ କ୍ଷେତ୍ରରେ ଅଧିକ ଧ୍ୟାନ ଦିଆଯାଇଛି। ଏହି ବଜେଟ୍‌ରେ ଦେଶର ପ୍ରତ୍ୟେକ୍ଷ କ୍ଷେତ୍ରର ବିକାଶ ହେବ ବୋଲି ମୋଦି କହିଛନ୍ତି।

ବିଶେଷ କରି ଦକ୍ଷିଣାଞ୍ଚଳ, ପୂର୍ବୋତ୍ତର କେତେ ରାଜ୍ୟ ଓ ଉତ୍ତରରେ ଲେହ, ଲଦାଖ ଭଳି କେତେକ ଅଞ୍ଚଳକୁ ଅଧିକ ଧ୍ୟାନ ଦିଆଯାଇ ଥିବାରୁ ଏହା ଖୁସୀର କଥା ବୋଲି କହିଛନ୍ତି ପିଏମ୍। ଏଥିରେ ଭାରତର ଉପକୂଳ ରାଜ୍ୟଗୁଡ଼ିକ ଯଥା- ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗକୁ ଏକ ବ୍ୟବସାୟିକ କେନ୍ଦ୍ର କରିବାରେ ସାହାଯ୍ୟ ହେବ। ଉତ୍ତରାଞ୍ଚଳରେ କେତେକ ରାଜ୍ୟ ଯଥା ଆଶାମ ଭଳି ଲୁକାୟିତ ସମ୍ଭବାନ ସମ୍ବଳିତ ରାଜ୍ୟକୁ ଆଗକୁ ନେବାକୁ ବଜେଟ ସହଯୋଗ କରିବ। ବଜେଟ୍‌ରେ ଗବେଷଣା ଓ ନୂଆ ଉଦ୍ଭାବନ ଉପରେ ଧ୍ୟାନ ଦିଆଯାଇଥିବାରୁ ଏହା ଯୁବ ବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହଯୋଗ କରିବ।

ଏଥିସହିତ ମହିଳାମାନଙ୍କ ଜୀବନ ସୈଳୀକୁ ସହଜ କରିବା ପାଇଁ ମଧ୍ୟ ବଜେଟ୍‌ରେ ଧ୍ୟାନ ଦିଆଯାଇଛି। ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ପୋଷଣ, ଶୁଦ୍ଧ ପାନୀୟ ଜଳ ବା ନିଯୁକ୍ତିରେ ସମାନତା ଆଣିବାକୁ ବଜେଟ୍‌ ଧ୍ୟାନ ଦିଆଯାଇଛି ବୋଲି ପିଏମ୍ କହିଛନ୍ତି।

କୃଷି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ମଧ୍ୟ ବଜେଟ୍‌ରେ ଧ୍ୟାନ ଦିଆଯାଇଛି। କୃଷି କ୍ଷେତ୍ରକୁ ମଜଭୁତ କରିବା ପାଇଁ, କୃଷକଙ୍କ ଆୟ ବୃଦ୍ଧି ପାଇଁ ଜୋର୍‌ ଦିଆଯାଇଛି। ଏ କ୍ଷେତ୍ରରେ ହୋଇଥିବା ସୁଧାର ଦ୍ୱାରା ସହଜରେ କୃଷକଙ୍କୁ ଅଧିକ ଋଣ ମିଳିପାରିବ। ଦେଶର ମଣ୍ଡିଗୁଡ଼ିକ ବା APMCକୁ ଆହୁର ମଜଭୁତ କରିବା ପାଇଁ ଏଗ୍ରିକଲ୍‌ଚର ଇନ୍‌ଫ୍ରାଷ୍ଟ୍ରକଚର୍‌ ଫଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏସବୁରୁ ଏହା ଜଣାପଡ଼ୁଛି ଯେ ବଜେଟ୍‌ର ହୃଦୟରେ ଗାଁ, ଓ କୃଷକ ରହିଛନ୍ତି ବୋଲି ମୋଦି କହିଛନ୍ତି।

MSME ସେକ୍ଟର ବିକାଶ ଓ ରୋଜଗାର ବଢ଼ାଇବା ପାଇଁ ଏହି ସେକ୍ଟରେ ଅଧିକ ଧ୍ୟାନ ଦିଆଯାଇଛି। ଗତବର୍ଷ ଅପେକ୍ଷା ଏବର୍ଷ MSME ବଜେଟକୁ ଦୁଇଗୁଣ ଅଧିକ କରାଯାଇଛି। ଆଜିର ବଜେଟ୍ ଏହି ଦଶନ୍ଧିର ଏକ ମଜଭୁତ ନିଅଁ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

You might also like