୩ଟି ଆଇନକୁ ରଦ୍ଦ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୁଦ୍ଧରେ ଚାଷୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଆନ୍ଦୋଳନକାରୀ ଆସନ୍ତାକାଲି ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରିବା କାର୍ଯ୍ୟକ୍ରମ ରହିଛି। ଏଣେ ବିବଦାୟୀ ୩ଟି ଯାକ ଆଇନକୁ ରଦ୍ଦ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଛି ଭାରତୀୟ କିଷାନ ମୋର୍ଚ୍ଚା। ସଂଗଠନର ସଭାପତି ଭାନୁ ପ୍ରତାପ ସିଂହ ଏହି ପିଟିସନ ଦାଖଲ କରିଛନ୍ତି। ନୂଆ ଆଇନଦ୍ୱାରା ଚାଷୀମାନେ ଶିଳ୍ପପତିଙ୍କ ଦ୍ୱାରା ଶୋଷିତ ହେବେ ବୋଲି ପିଟିସନରେ ଦର୍ଶାଯାଇଛି।

ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିସାରିଛନ୍ତି। ଏସବୁ ଭିତରେ ଆଲୋଚନା ଲାଗି ଚାଷୀଙ୍କୁ ପୁଣି ଥରେ ଅପିଲ କରିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।

ଏପଟେ ଚାଷୀ ଆନ୍ଦୋଳନକୁ ନେଇ ନୂଆ ନୁଆ ବିବାଦ ଦେଖା ଦେବାରେ ଲାଗିଛି। ଏଲଗାର ପରିଷଦ ଓ ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ କିଛି ଲୋକଙ୍କୁ ଛାଡିବା ଦାବିରେ ଟିକ୍ରି ବର୍ଡରେ କିଛି ଆନ୍ଦୋଳନକାରୀ ପୋଷ୍ଟର ପ୍ରଦର୍ଶନ କରିଥିଲେ।

UAPAରେ ଗିରଫ ତେଲଗୁ କବି ତଥା ନକ୍ସଲ ସମର୍ଥକ ବରବରା ରାଓ ଓ ଆଇନଜୀବୀ ସୁଧା ଭରଦ୍ୱାଜଙ୍କ ସମେତ ୨୦ ଜଣ ବ୍ୟକ୍ତି ବିଶେଷଙ୍କୁ ଛାଡିବା ଲାଗି ଆନ୍ଦୋଳନକାରୀ ଦାବି କରିଥିଲେ।

ଚାଷୀଙ୍କ ଆନ୍ଦୋଳନକୁ କିଛି ଗୋଷ୍ଠୀ ହାଇଜାକ୍ କରିନେଇଥିବା ଜାତୀୟ ସୁରକ୍ଷା ଏଜେନ୍ସି NIA ଆଶଙ୍କା କରିଛି। ତେଣେ ଆନ୍ଦୋଳନ ସ୍ଥଳରେ କୋଭିଡ୍ ସଂକ୍ରମଣ ଭୟ ବି ବଢିବାରେ ଲାଗିଛି। ଏଠାରେ ଆଇନଶୃଙ୍ଖଳା ରକ୍ଷା ଲାଗି ମୁତୟନ ଦୁଇ ଆଇପିଏସ ଅଧିକାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

You might also like