କୃଷକଙ୍କ ହିତରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ପୁରୁଣା ମୂଲ୍ୟରେ ଡିଏପି ସାର ପାଇବେ ଚାଷୀ ଭାଇ

ନୂଆଦିଲ୍ଲୀ : କୃଷକମାନଙ୍କ ପାଇଁ ଖୁସି ଖବର । ସରକାର ଡିଏପି (DAP Fertiliser)  ସାର ଉପରେ ୧୪୦ ପ୍ରତିଶତ ସବସିଡି ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୃଷକମାନେ ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କା ସବସିଡି ପାଇବେ।  ଯଦ୍ୱାର ବସ୍ତା ପିଛା ୨୪୦୦ ଟଙ୍କା ଦେବା ପରିବର୍ତ୍ତେ ମାତ୍ର ୧୨୦୦ ଟଙ୍କା ଦେବାକୁ ପଡ଼ିବ ।  ଅର୍ଥ  ଚାଷୀ ଭାଇମାନେ ପୁରୁଣା ମୂଲ୍ୟରେ ସାର ପାଇପାଇବେ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସବସିଡି ପାଇଁ ୧୪,୭୭୫ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ।

ଅନ୍ତର୍ଜାତୀୟ ସ୍ତରରେ ଫସଫୋରିକ୍ ଏସିଡ୍, ଆମୋନିୟା ମୂଲ୍ୟ ବୃଦ୍ଧି ହେତୁ ସାରର ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତୀୟ ସ୍ତରରେ ମୂଲ୍ୟ ବୃଦ୍ଧି ସତ୍ତ୍ୱେ କୃଷକଙ୍କୁ ପୁରୁଣା ଦରରେ ସାର ମିଳିବା ଉଚିତ୍। ଏହା ପରେ ଡିଏପି ସାର ପାଇଁ ସବସିଡି ବସ୍ତା ପିଛା ୫୦୦ରୁ ୧୪୦ ପ୍ରତିଶତ ବୃଦ୍ଧି କରି ୧୨୦୦ ଟଙ୍କା କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ କୃଷକମାନେ କେବଳ ୧୨୦୦ ଟଙ୍କା, ପୁରୁଣା ମୂଲ୍ୟରେ ଡିଏପି ସାର ପାଇବେ ।  ଏଥିସହ ମୂଲ୍ୟ ବୃଦ୍ଧିର ସମ୍ପୂର୍ଣ୍ଣ ଭାର କେନ୍ଦ୍ର ସରକାର ବହନ କରିବେ।

ଗତ ବର୍ଷ ଡିଏପି ସାରର ପ୍ରକୃତ ମୂଲ୍ୟ ଗତ ବର୍ଷ ବସ୍ତା ପିଛା ୧,୭୦୦ ଟଙ୍କା ଥିଲା । ଏଥିରେ କେନ୍ଦ୍ର ସରକାର ବସ୍ତା ପିଛା ୫୦୦ ଟଙ୍କା ସବସିଡି ଦେଉଥିଲେ। ତେଣୁ କମ୍ପାନୀଗୁଡିକ ଚାଷୀଙ୍କୁ ବସ୍ତା ପିଛା ୧୨୦୦ ଟଙ୍କା ମୂଲ୍ୟରେ ସାର ବିକ୍ରି କରୁଥିଲେ। ନିକଟରେ  ଡିଏପିରେ ବ୍ୟବହୃତ ଫସଫୋରିକ୍ ଏସିଡ୍, ଆମୋନିଆର ଆନ୍ତର୍ଜାତୀୟ ମୂଲ୍ୟ ୬୦ ରୁ ୭୦ ପ୍ରତିଶତ ବୃଦ୍ଧି ପାଇଛି । ସରକାରଙ୍କ କହିବାନୁସାରେ, ଏକ ଡିଏପ  ସାର ବସ୍ତାର ପ୍ରକୃତ ମୂଲ୍ୟ ବର୍ତ୍ତମାନ ୨୪୦୦ ଟଙ୍କା, ଯାହାକି ସାର କମ୍ପାନୀ ଦ୍ୱାରା ୫୦୦ ଟଙ୍କା ସବସିଡି କରି ୧୯୦୦ ଟଙ୍କାରେ ବିକ୍ରି ହେଉଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ତାଙ୍କ ସରକାର କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ ଉପରେ ମୂଲ୍ୟ ବୃଦ୍ଧି ଯେପରି କୌଣସି ପ୍ରଭାବ ନପଡ଼ିବ ସେନେଇ ସମସ୍ତ ଉଦ୍ୟମ କରାଯାଉଛି ।

ରାସାୟନିକ ସାର ଉପରେ ସବସିଡି ପାଇଁ ପ୍ରତିବର୍ଷ ପ୍ରାୟ ୮୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଖରିଫ ଋତୁରେ ଭାରତ ସରକାର ୯୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଅକ୍ଷୟ ତୃତୀୟା ଅବସରରେ ପିଏମ କିଷାନ୍ ଯୋଜନା ଅନୁସାରେ  କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ୨୦,୬୬୭ କୋଟି ଟଙ୍କା ଟ୍ରାନ୍ସଫର କରିବା ପରେ କୃଷକଙ୍କ  ହିତ ପାଇଁ କେନ୍ଦ୍ର ସରକାରଙ୍କ ଏହା ହେଉଛି ଦ୍ୱିତୀୟ ବଡ଼  ନିଷ୍ପତ୍ତି। ସୂଚନାଯୋଗ୍ୟ କଂଗ୍ରେସ ଅଭିଯୋଗ କରିଥିଲା ସରକାର ଡିଏପି  ସାରର ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଉପରେ ୨୦,୦୦୦ କୋଟି ଟଙ୍କାର ବୋଝ ଲଦି ଦେଇଛନ୍ତି । ବସ୍ତା ପିଛା ଡିଏପି ସାରର ମୂଲ୍ୟ ୭୦୦ ଟଙ୍କା ବୃଦ୍ଧି କରାଯାଇଥିବା ଅଭଯୋଗ ହୋଇଥିଲା ।

You might also like