ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଆଇନକୁ ସ୍ଥଗିତ ରଖ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ଯେ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେଦିନ ପଯର୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ଏକ୍ସପର୍ଟ କମିଟି ପାଖରେ ଅଭିଯୋଗ କରିବାକୁ ଚାଷୀଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଏହି କମିଟି ରିପୋର୍ଟ ଦେବା ପରେ କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି ।

ଦିଲ୍ଲୀ ସୀମାରେ କୃଷି ଆଇନ ଓ ଚାଷୀଙ୍କ ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଆପୋଷ ବୁଝାମଣାରେ କେନ୍ଦ୍ରର ଭୂମିକାକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯାହା କିଛି ଚାଲିଛି, ତାକୁ ନେଇ ଆମେ ଆଦୌ ଖୁସି ନୁହଁ ବୋଲି ପ୍ରଧାନ ବିଚାରପତି ଏସ୍. ଏ. ବୋବଡ଼େ କହିଛନ୍ତି ।

ପ୍ରଧାନ ବିଚାରପତି ଏସ୍. ଏ. ବୋବଡ଼େ  କହିଥିଲେ, ପୁରା ମାସ ଧରି ଆଲୋଚନା ଚାଲିଛି। ହେଲେ କିଛି ହୋଇପାରୁ ନାହିଁ। ଆମେ ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ନିରାଶ ହୋଇ ପଡ଼ିଛୁ। ଆପଣ କହିଥିଲେ, ଆମେ ଆଲୋଚନା କରୁଛୁ। ହେଲେ କ’ଣ ଆଲୋଚନା କରୁଛୁ ? କି ପ୍ରକାର ଆଲୋଚନା କରୁଛନ୍ତି ?

ନାଆଟର୍ଣ୍ଣି ଜେନେରାଲ କହିଛନ୍ତି, ଆଇନ ତିଆରି କରିବା ପୂର୍ବରୁ ବିଶେଷଜ୍ଞ କମିଟି  ଗଠନ କରାଯାଇଛି। ପୂର୍ବ ସରକାର ମଧ୍ୟ ଏହି ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ଚେଷ୍ଟା କରିଥିଲେ। ହେଲେ ସିଜେଆଇ କହିଛନ୍ତି, ପୂର୍ବ ସରକାର ଏହାକୁ ଆରମ୍ଭ କରିଥିଲେ-ଏମିତି ଯୁକ୍ତିର କୌଣସି ବୈଧତା ରଖୁନି। ଆପଣ କୋର୍ଟକୁ ଏକ ଅଦ୍ଭୁତ ସ୍ଥିତିରେ ରଖିଛନ୍ତି। ସମାଧାନର ବାଟ ବାହାରିବା ଦରକାର। ଯଦି ସରକାର ବୁଝାମଣା କରିବାର କ୍ଷମତା ରଖିଛନ୍ତି, ତେବେ ଆଇନର କାର୍ଯ୍ୟକାରିତା ଉପରେ ଜିଦ୍‌ ନ ରଖିବା ଦରକାର। ତେଣୁ ପ୍ରଥମେ କଥାବାର୍ତ୍ତା କରନ୍ତୁ।

କୋର୍ଟ ଆହୁରି ପ୍ରଶ୍ନ କରିଛନ୍ତି, କ’ଣ ପାଇଁ ବୟସ୍କ ଲୋକ ଥଣ୍ଡା କାକରରେ ପଡ଼ି ଆନ୍ଦୋଳନ କରୁଛନ୍ତି ? କାହିଁକି କେହି ଜଣେ ଆଇନ ସପକ୍ଷରେ ଏ ଯାଏ ରିଟ୍ ଦାଖଲ କରିନାହାନ୍ତି ? ଏମିତି କିଛି ପ୍ରଶ୍ନ  କରିଛନ୍ତି କୋର୍ଟ । ତେବେ କୌଣସି ରକ୍ତପାତ, ମୃତ୍ୟୁକୁ ଆମେ ଗ୍ରହଣ କରିପାରିବୁ ନାହୁଁ ବୋଲି ଶୁଣାଣି ବେଳେ କୋର୍ଟ କହିଛନ୍ତି।

You might also like