ଜୋର୍ ହେଲା କୃଷି ଋଣ ଛାଡ଼ ଦାବି

ନୂଆଦିଲ୍ଲୀ  : ରାଜଧାନୀର ରାଜରାସ୍ତାରେ ଚାଷୀ। ନିଜର ହକ୍ ପାଇଁ ଚାଲିଛି ଲଢେଇ। ଚାଷୀ ଅାନ୍ଦୋଳନର ଦ୍ୱିତୀୟ ଦିନରେ ଦିଲ୍ଲୀରେ କୃଷକଙ୍କ ଗର୍ଜନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଦେଶର କୃଷକ। କିଶାନ ମୁକ୍ତି ମୋର୍ଚ୍ଚାର ବିଭିନ୍ନ ରାଜ୍ୟ ସଂଗଠନ ଶୁକ୍ରବାର ସରକାର ବିରୋଧୀ ନାରା ଦେବା ସହ ହକ୍ ପ୍ରଦାନ ପାଇଁ ଦାବି କରିଛନ୍ତି।

ହଜାର ହଜାର ଚାଷୀ ରାଲି କରି ସଂସଦ ଅଭିମୁଖେ ବାହାରିଥିଲେ। ଏମ୍ଏସ୍‌ପିରେ ଦେଢ଼ଗୁଣା ବୃଦ୍ଧି, ଏକକାଳୀନ କୃଷିଋଣ ଛାଡ଼, ବୀମା ଟଙ୍କା ପ୍ରଦାନ ଓ କୃଷକଙ୍କ ସାମାଜିକ ସୁରକ୍ଷା ଦାବି କରିଛନ୍ତି। ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ ସହ ଦୀର୍ଘଦିନ ହେଲା ପଡ଼ି ରହିଥିବା ଚାଷୀଙ୍କ ସଂପର୍କିତ ୨ଟି ପ୍ରାଇଭେଟ୍ ବିଲ୍ ପାସ କରାଇବା ଲାଗି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି ହୋଇଛି। ଅଖିଳ ଭାରତୀୟ କୃଷକ ସଂଘର୍ଷ ସମିତି ବ୍ୟାନରରେ ୨୦୦ ଚାଷୀ ସଂଗଠନ ଏହି ବିକ୍ଷୋଭ କରୁଛନ୍ତି।

ଗୁରୁବାର ବିଭିନ୍ନ ରାଜ୍ୟରୁ ଅାସି ଚାଷୀମାନେ ଦିଲ୍ଲୀରେ ପହଞ୍ଚିବା ପରେ ରାମଲୀଳା ମୈଦାନ ଯାତ୍ରା କରିଥିଲେ। ରାତିରେ ବିଶ୍ରାମ ନେଇ ସକାଳୁ କୃଷକମାନେ ସଂସଦ ଭବନ ଅଭିମୁଖେ ପଦଯାତ୍ରା ଅାରମ୍ଭ କରିଥିଲେ। ସେପଟେ କୃଷକ ରାଲିରେ ପହଞ୍ଚିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ପୂର୍ବତନ କୃଷି ମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାର। ସେହିପରି ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।

ମୋଦି ସରକାରଙ୍କୁ ଚାଷୀ ବିରୋଧୀ ବୋଲି କହିଛନ୍ତି ବିପକ୍ଷ ଦଳ। କେନ୍ଦ୍ର ସରକାର ଚାଷୀଙ୍କୁ ତାଙ୍କ ହକ୍ ଦେବାରେ ବିଫଳ ହୋଇଥିବା ବିରୋଧୀ କହିଛନ୍ତି। ତେବେ ଏହାକୁ ଖଣ୍ଡନ କରିବା ସହ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଅାବାସ ନକଭୀ।

ସେପଟେ କୃଷକଙ୍କ ଦୁଇ ଦିନିଅା ଅାନ୍ଦୋଳନ ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶାଳ ଚାଷୀ ସମାବେଶ ପାଇଁ ରାଜଧାନୀରେ ଯାତାୟତ ପ୍ରଭାବିତ ହୋଇଛି। ଜବାହାରଲାଲ୍ ନେହେରୁ ମାର୍ଗ, ଗୁରୁ ନାନକ ଅାଇ ହସ୍ପିଟାଲ, ମହାରାଜା ରଣଜୀତ ସିଂ ଫ୍ଲାଓଭର, ବାରାଖମ୍ବା ଚୌକ୍ ଏବଂ ଜନପଥ ଅାଦି ସ୍ଥାନରେ ଯାତାୟତ ପ୍ରଭାବିତ ହୋଇଛି।

ଚାଷୀ ସମସ୍ୟାର ସମାଧାନ ଲାଗି ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ। ସ୍ୱତନ୍ତ୍ର ଅଧିବେଶନରେ କୃଷକଙ୍କ ଋଣମୁକ୍ତି ଅଧ୍ୟାଦେଶ-୨୦୧୮ ଓ କୃଷକ ଅଧିକାର ସହ ନିଶ୍ଚିତ ଏମ୍ଏସ୍‌ପି ଅଧ୍ୟାଦେଶ-୨୦୧୮ ଉପରେ ଅାଲୋଚନା କରିବାକୁ ସଂଘ ଦାବି କରିଛି।

You might also like