ଆତ୍ମହତ୍ୟା କଲେ ‘KGF’ ଆକ୍ଟର ୟଶ୍ଙ୍କ ପ୍ରଶଂସକ, ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି ଏମିତି…
ବେଙ୍ଗାଲୁରୁ: “ମୁଁ ମୋ ଜୀବନରେ ହାରି ଯାଇଛି। ନା ମୁଁ ଜଣେ ଭଲ ପୁଅ ନା ଭାଇ, ଏପରିକି ଭଲପାଇବାର ହୃଦୟ ଜିତି ପାରିଲି। ମୋ ଜୀବନରେ ହାସଲ କରିବାକୁ ଆଉ କିଛି ବାକି ନାହିଁ। ତେଣୁ ସବୁଦିନ ପାଇଁ ମୁଁ ମୋ ଜୀବନକୁ ଶେଷ କରି ଦେଉଛି”…ମୃତ୍ୟୁ ପୂର୍ବରୁ ଏଭଳି କିଛି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ୨୫ ବର୍ଷୀୟ ଯୁବକ।
କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲା କୋଡିଡୋଡି ଗାଁର ଏହି ଯୁବକ ଜଣକ ‘KGF’ ଆକ୍ଟର ୟଶ୍ ଓ କର୍ଣ୍ଣାଟକର ବିରୋଧୀ ଦଳ ନେତା ସିଦ୍ଧରମୈୟାଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ ବୋଲି ପୋଲିସ୍ ସୂଚନା ଦେଇଛି। ମୃତକଙ୍କ ନାଁ ରାମକ୍ରିଷ୍ଣା। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
ମୃତ୍ୟୁ ପୂର୍ବରୁ ରାମକ୍ରିଷ୍ଣା ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଦେଇଛନ୍ତି। କନ୍ନଡ ଭାଷାରେ ଲେଖା ହୋଇଥିବା ଏହି ସୁଇସାଇଡ୍ ନୋଟ୍ରେ ସେ ତାଙ୍କର ଶେଷ ଇଚ୍ଛା ଉଲ୍ଲେଖ କରିଛନ୍ତି। ସେ ଉଭୟ ସିଦ୍ଧରମୈୟା ଓ ୟଶ୍ଙ୍କ ବହୁତ ବଡ଼ ପ୍ରଶଂସକ ବୋଲି ଉଲ୍ଲେଖ କରିଥିଲେ। ତାଙ୍କ ଅନ୍ତିମ ସଂସ୍କାରରେ ଉଭୟଙ୍କ ଉପସ୍ଥିତି ସେ ଚାହୁଁଥିଲେ ଓ ଏହା ତାଙ୍କର ଶେଷ ଇଚ୍ଛା ବୋଲି ରାମକ୍ରିଷ୍ଣା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଥିଲେ।
ରାମକ୍ରିଷ୍ଣାଙ୍କ ଶେଷ ଇଚ୍ଛା ସମ୍ପର୍କରେ ଜାଣିବା ପରେ ସିଦ୍ଧରମୈୟା କୋଡିଡୋଡି ଗାଁକୁ ଯାଇ ରାମକ୍ରିଷ୍ଣାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ଘଟଣାକୁ ନେଇ ସିଦ୍ଧରମୈୟା କହିଛନ୍ତି, “ମୋର କାହିଁ ମନେ ପଡ଼ୁ ନାହିଁ ଯେ, ମୁଁ ତାଙ୍କୁ କେବେ ଭେଟିଥିଲି। ହେଲେ ଏଭଳି ପରିସ୍ଥିତିରେ ନିଜର ପ୍ରଶଂସକଙ୍କୁ ଭେଟିବା ଅତ୍ୟନ୍ତ ଦୁଃଖଦାୟକ। ଯୁବ ବୟସରେ କେହିବି ଏଭଳି ଭାବରେ ନିଜର ଜୀବନକୁ ଶେଷ କରିଦେବା ଉଚିତ୍ ନୁହେଁ”।
ଅଭିନେତା ୟଶ୍ ମଧ୍ୟ ଟ୍ୱିଟ୍ କରି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ୟଶ୍ କହିଛନ୍ତି, ଆମ୍ଭେମାନେ ଆପଣଙ୍କ ଭଳି ପ୍ରଶଂସକଙ୍କ କରତାଳି ଓ ହ୍ୱିସିଲ୍ ଶୁଣିବାକୁ ଭଲ ପାଉ। ହେଲେ ଏସବୁ ଆପଣଙ୍କ(ପ୍ରଶଂସକ)ଠୁ ଆଶ କରାଯାଉ ନଥିଲା।’
ଅନ୍ୟପକ୍ଷରେ ପୋଲିସ୍ ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନାଥାଉ କି, କିଛିଦିନ ତଳେ ଏମ୍ଏସ୍ ଧୋନି, କେସରୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ଅଭିନେତା ସନ୍ଦୀପ ନାହାର ଆତ୍ମହତ୍ୟା କରିଥିଲେ। ମୁମ୍ବାଇ ଗୋରୋଗାଁଓ ସ୍ଥିତ ବାସଭବନରୁ ସନ୍ଦୀପଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।