୩୫ ବର୍ଷ ପରେ ଝିଅ ହେବାରୁ ହେଲିକପ୍ଟରରେ କନ୍ୟାସନ୍ତାନକୁ ଘରକୁ ଆଣିଲେ ବାପା: ଜାଣନ୍ତୁ କେଉଁଠି?

ଝିଅ ନୁହେଁ ସେ ଲକ୍ଷ୍ମୀ

ଜୟପୁର: ଘରେ ୩୫ ବର୍ଷ ପରେ ଯେବେ ଝିଅ ଜନ୍ମ ହୁଏ…..ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଅବିଶ୍ୱାସ ଲାଗୁଥିବ। କିନ୍ତୁ ଘଟଣାଟି ପୂରା ସତ। ରାଜସ୍ଥାନରେ ଏହି ଘଟଣା ଘଟିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଝିଅ ଜନ୍ମ ହେବାରୁ ନିଜର ସନ୍ତାନକୁ ହେଲିକପ୍ଟରରେ ଘରକୁ  ଆଣିଲେ। କନ୍ୟା ହୋଇଥିବାରୁ ପରିବାର ଲୋକଙ୍କ ମନ ଭିତରେ ପ୍ରବଳ ଖୁସି। ଏପରିକି ନବଜାତ ଶିଶୁକନ୍ୟାଟିକୁ ସୁନ୍ଦର ଭାବରେ ସ୍ୱାଗତ ମଧ୍ୟ କରିଛନ୍ତି। ହେଲିପ୍ୟାଡ୍ ରାସ୍ତା ପର୍ଯ୍ୟନ୍ତ ଫୁଲ୍ ବିଛାଇକି ରଖିଥିଲେ ପରିବାର ଲୋକେ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ହେଉଛି।

ଏଭଳି ଏକ ନିଆରା ଘଟଣା ରାଜସ୍ଥାନର ହେନାଗୌର ଜିଲ୍ଲାର ନିମଡି ଚାନ୍ଦାୱତ ଗାଁରେ ଦେଖିବାକୁ ମିଳିଛି। ଏହି ଗାଁରେ ରହୁଥିବା ମଦନଲାଲ କୁହ୍ମାରଙ୍କ ଘରେ ନାତୁଣୀ ଜନ୍ମନେଇଛି। ପରିବାରରେ ୩୫ ବର୍ଷ ଭିତରେ ତ ଅନେକ ପିଲା ଜନ୍ମନେଇଛନ୍ତି, କିନ୍ତୁ ଝିଅ କେବେ ଜନ୍ମହୋଇନଥିଲା। ଝିଅ ଟିଏ ହେଉନଥିବାରୁ ପରିବାର ମଧ୍ୟରେ ଅନେକ ସମୟରେ ଚିନ୍ତାରେ ରହୁଥିଲେ। ପଡ଼ିଶା ଘରର ଝିଅକୁ ନିଜର ଭାବି ମନ ବୁଝାଉଥିଲେ ସିନା କିନ୍ତୁ ମନ ବୁଝୁନଥିଲା। ଆଉ ବହୁ ପୂଜାର୍ଚ୍ଚନା ପରେ ଝିଅଟିଏ ହେବାର ଇଚ୍ଛାପୂରଣ ହୋଇଥିଲା। ଆଉ ପରେ ଘରଲୋକ ଖୁସିରେ ନାଚିଉଠିଥିଲେ। ଏବେ ମଦନଲାଲ ନିଜର ଫସଲ ବିକ୍ରି କରି ହେଲିକପ୍ଟର ବ୍ୟବସ୍ଥା କରିଥିଲେ ଓ ଏଥିରେ ନାତୁଣୀକୁ ବସାଇ ମାମୁଁ ଘରୁ ନିଜ ଘରକୁ ନେଇକି ଆସିଥିଲେ। ବ୍ୟାଣ୍ଡ-ବାଜା ସହିତ ନବଜାତ ଶିଶୁକନ୍ୟାକୁ ଘରେ ପ୍ରବେଶ କରାଇଥିଲେ। ଯାହାକୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ମଧ୍ୟ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଧାରଣ ଭାବରେ ଝିଅ ଟିଏ ଜନ୍ମ ହେଲେ ପରିବାର ଲୋକେ ଏତେ ଖୁସି ନଥିବା ବା କନ୍ୟା ଭ୍ରୁଣ ହତ୍ୟା ମାମଲା ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଶିରୋନାମା ହେଉଛି। କିନ୍ତୁ ଏହାରି ସଂପୂର୍ଣ୍ଣ ବ୍ୟତିକ୍ରମ ରାଜସ୍ଥାନରେ ଦେଖିବାକୁ ମିଳିଛି। ଯେଉଁଠି କି ଝିଅ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ପରିବାର ପକ୍ଷରୁ କୁହାଯାଇଛି ଯେ, ଝିଅ ହେଉଛି ସାକ୍ଷାତ୍‌ ମା ଲକ୍ଷ୍ମୀ। ତେଣୁ ତାଙ୍କର ଜନ୍ମ ଆମ ଘରେ ଦୀର୍ଘ ୩୫ ବର୍ଷ ପରେ ହୋଇଥିବାରୁ ଆମେ ବହୁତ ଖୁସି ଅଛୁ। ତାଙ୍କ ପାଇଁ ଯେତେ ଯାହା କଲେ ବି ବହୁତ କମ ହେବ ବୋଲି ସେମାନେ କହିଛନ୍ତି। ଏହାସହ ଝିଅ ଜନ୍ମ ହେବାକୁ ନେଇ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

 

You might also like