ବାବା ଅମରପୁରୀଙ୍କ ଆଶ୍ରମରୁ ଜବତ ହେଲା ୧୨୦ ଅଶ୍ଳୀଳ ଭିଡିଓ
ଚଣ୍ଡୀଗଡ଼: ଜିଲାପି,ପକୁଡ଼ି ବିକୁଥିବା ଜଣେ ଲୋକ ହଠାତ୍ ବାବା ସାଜି ଆରମ୍ଭ କରିଥିଲା କଳା କାରନାମା। ତନ୍ତ୍ର ମାଧ୍ୟମରେ ମହିଳାଙ୍କ ସମସ୍ୟା ସମାଧାନ କରିବାକୁ କହି ସେମାନଙ୍କ ଅଶ୍ଲୀଳ ଭିଡିଓ କରୁଥିବା ଅଭିଯୋଗରେ ଜଣେ ମନ୍ଦିର ପୂଜକଙ୍କୁ ପୁଲିସ ଗିରଫ କରିଛି।
ହରିୟାଣା ଫତେହାବାଦ ଜିଲ୍ଲା ତୋହାନା ଅଞ୍ଚଳର ଏହି ବାବାଙ୍କ ନାଁ ଅମରପୁରୀ। ସ୍ଥାନୀୟ ଅଞ୍ଚଳରେ ସେ ଜିଲାପି ବାବା ନାମରେ ଜଣାଶୁଣା। କେହି କେହି ତାଙ୍କୁ ‘ବିଲ୍ଲୁ’ ବୋଲି ମଧ୍ୟ ଡାକନ୍ତି। ୫ଦିନ ପାଇଁ ତାଙ୍କୁ ପୁଲିସ ହେପାଜତ୍କୁ ନିଆଯାଇ ଘନ ଘନ ଜେରା ଚାଲିଛି। ପୁଲିସର କହିବା ଅନୁଯାୟୀ ଉକ୍ତ ବାବାଙ୍କ ନିକଟରୁ ବର୍ତ୍ତମାନ ସୁଦ୍ଧା ୧୨୦ଟି ଅଶ୍ଲୀଳ ଭିଡିଓ ଜବତ କରାଯାଇଛି। ଯଦି କୌଣସି ମହିଳା ବାବା ପାଖକୁ କିଛି ସମସ୍ୟା ନେଇ ଆସନ୍ତି, ତା’ ହେଲେ ସେ ତନ୍ତ୍ର ମନ୍ତ୍ର ଦ୍ୱାରା ଠିକ୍ କରିଦେବାକୁ କହି ପରେ ସେମାନଙ୍କୁ ଦୁଷ୍କର୍ମ କରି ଅଶ୍ଲୀଳ ଭିଡିଓ କରିଥା’ନ୍ତି। ଏହାପରେ ସେମାନଙ୍କୁ ବ୍ଲାକ୍ମେଲ୍ କରନ୍ତି। ଖାଲି ସେତିକି ନୁହେଁ ସେ ମହିଳାଙ୍କୁ ବ୍ଲାକ୍ମେଲ୍ କରି ଟଙ୍କା ମାଗନ୍ତି ଓ ସେମାନଙ୍କୁ ଧମକ ମଧ୍ୟ ଦେଇଥା’ନ୍ତି।
ଚଢ଼ଉ ବେଳେ ତାଙ୍କ ଆଶ୍ରମରୁ ଅନେକ ଆପତ୍ତିଜନକ ଜିନିଷ ଜବତ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବାବା ଅମରପୁରୀ ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ସେ କହିଛନ୍ତି।
ସୂଚନା ଅନୁସାରେ, ତୋହାନାରେ ବାବା ଅମରପୁରୀଙ୍କ ଆଶ୍ରମ ରହିଛି। ସେଠାରେ ବସବାସ କରୁଥବା ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବା ଅନୁସାରେ, ୧୪ବର୍ଷ ପୂର୍ବେ ଉକ୍ତ ଅଞ୍ଚଳରେ ତାଙ୍କର ଏକ ଦୋକାନ ଥିଲା। ଯେଉଁଠି ସେ ଜିଲାପି ଓ ପକୁଡ଼ି ବିକ୍ରି କରୁଥିଲେ। ହଠାତ୍ ସେ ବାବା ସାଜିଗଲେ ଓ ଧୀରେ ଧୀରେ ଲୋକମାନେ ତାଙ୍କ ନିକଟକୁ ଯିବାଆସିବା କରିବାକୁ ଲାଗିଲେ।
ସେ ପୂର୍ବରୁ ଜିଲାପି ବିକ୍ରି କରୁଥିବାରୁ ତାଙ୍କୁ ଜିଲାପି ବାବା ନା’ରେ ମଧ୍ୟ ଲୋକ ଜାଣନ୍ତି। ବାବା ଜାଣିଶୁଣି ଜନବସତି ଥିବା ଅଞ୍ଚଳରେ ଆଶ୍ରମ ତିଆରି କରିଥିଲା। ତେବେ ବାବାଙ୍କର ଏହି କଳା କାରନାମା ସାମ୍ନାକୁ ଆସିବା ପରେ ଲୋକଙ୍କ ହୋସ୍ ଉଡ଼ି ଉଡ଼ିଯାଇଛି।