ଲକ୍ଷେ ଟଙ୍କାରେ ମିଳିଲା କନ୍ୟା, ବିବାହ ସରିବା ପରେ ସୁନା ଅଳଙ୍କାର ନେଇ ଫେରାର

ଲକ୍ଷ୍ନୌ: ଦୁଲ୍‌ହନ ବେଶରେ ଆସି ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କଲେ, ଶେଷରେ ସୁନା ଅଳଙ୍କାର ନେଇ ଫେରାର ହୋଇଗଲେ। ସବୁଠାରୁ ବଡ଼ କଥା, ଏହି ବିବାହ ପାଇଁ ମଧ୍ୟସ୍ଥିଙ୍କ ସହ ଲକ୍ଷେ ଟଙ୍କା ମଧ୍ୟ ଛିଣ୍ଡି ଥିଲା। ଘଟଣାପରେ ନା ଯୁବତୀଙ୍କର କୌଣସି ପତ୍ତା ମିଳିପାରିଛି ନା ମଧ୍ୟସ୍ଥିଙ୍କ। ଉଭୟେ କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟରେ। ମୁଜାଫରନଗରରେ ରହୁଥିବା ଜଣେ କୃଷକ ବିବାହ ନାଁରେ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସମ୍ପୃକ୍ତ ବ୍ୟକ୍ତି ମଧ୍ୟସ୍ଥିଙ୍କୁ ଲକ୍ଷେ ଟଙ୍କା ଦେଇ ଯୁବତୀଙ୍କୁ ବିବାହ କରିଥିଲେ। ମନ୍ଦିରରେ ଅଗ୍ନିକୁ ସାକ୍ଷୀ ରଖି ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଯୁବତୀ ଜଣକ ଟଙ୍କା, ସୁନା ଅଳଙ୍କାର ଓ କପଡ଼ା ନେଇ ଫେରାର ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।

ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, ମୁଜାଫରନଗରର ବୁଢ଼ାନାରେ ରହୁଥିବା ଦେବେନ୍ଦ୍ରଙ୍କ କହିବା ଅନୁଯାୟୀ, ଗାଜିଆବାଦରେ ରହୁଥିବା ସନ୍ଦୀପ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା। ଏହାପରେ ଉକ୍ତ ଯୁବତୀଙ୍କ ସହ ସନ୍ଦୀପ ଯୋଗାଯୋଗ କରାଇଥିଲେ ଓ ବିବାହ କଥା କହିଥିଲେ।

ସୂଚନା ଅନୁସାରେ, ରବିବାର ଦିନ ପରତାପୁର ସ୍ଥିତ ଭୁଡ଼ବରାଳ ଗାଁର ଏକ ମନ୍ଦିରରେ ସମ୍ପୃକ୍ତ ଯୁବତୀଙ୍କ ସହ ଦେବେନ୍ଦ୍ରଙ୍କ ବିବାହ ହୋଇଥିଲା। ହିନ୍ଦୁ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ମଧ୍ୟସ୍ଥିଙ୍କ ସହ ପୂର୍ବରୁ ଛିଣ୍ଡି ଥିବା ୧ ଲକ୍ଷ ଟଙ୍କା ଦେବେନ୍ଦ୍ର ତାଙ୍କୁ ଦେଇଥିଲେ। ଏହାପରେ ଦୁଲ୍‌ହନକୁ ନେଇ ଦେବେନ୍ଦ୍ର ମୁଜାଫରନଗର ଅଭିମୁଖେ ବାହାରିଥିଲେ। ଏହି ସମୟରେ ଯୁବତୀ ଜଣକ ଖାଇବା ବାହାନାରେ ରାସ୍ତାରେ ଗାଡ଼ି ଅଟକାଇ ଫେରାର ହୋଇଯାଇଥିଲେ। ଯୁବତୀଙ୍କ ଜଣକ କପଡ଼ା ଓ ପିନ୍ଧି ଥିବା ସୁନା ଅଳଙ୍କାର ସହ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ମଧ୍ୟସ୍ଥି ସନ୍ଦୀପଙ୍କ ସହ ମିଶି ଯୁବତୀ ଜଣକ ଟଙ୍କା, ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଶେଷରେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଦେବେନ୍ଦ୍ର ପରତାପୁର ଥାନାରେ ଅଭିଯୋଗ କରିଥିଲେ। ଦେବେନ୍ଦ୍ରଙ୍କ ଅଭିଯୋଗ ପରେ ପୋଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହାସହ ମନ୍ଦିର ଆଖପାଖ ଓ ହୋଟେଲ୍‌ର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ୍‌। ଉଭୟଙ୍କ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ୍‌ କହିଛି।

You might also like