ଆୟରଲ୍ୟାଣ୍ଡ୍ରୁ ଫୋନ୍ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…
ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ୍ରେ ଥାଇ ଫେସ୍ବୁକ୍ର ଜଣେ ଷ୍ଟାଫ୍ ୨୭ ବର୍ଷୀୟ ଭାରତୀୟଙ୍କ ଜୀବନ ବଞ୍ଚାଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏହା ଜାଣିପାରି ଫେସ୍ବୁକ୍ର ଜଣେ ଷ୍ଟାଫ୍ ତାଙ୍କ ଜୀବନ ବଞ୍ଚାଇଥିଲେ। ଆୟରଲ୍ୟାଣ୍ଡ୍ରୁ ଦିଲ୍ଲୀ ଓ ଦିଲ୍ଲୀରୁ ମୁମ୍ବାଇ…ଗୋଟିଏପରେ ଗୋଟିଏ କଲ୍ କରି କିଛି ଘଣ୍ଟା ଭିତରେ ବ୍ୟକ୍ତି ଜଣକଙ୍କ ନିକଟରେ ପୋଲିସ୍ ପହଞ୍ଚିଥିଲା। ଏହାପରେ ତାଙ୍କୁ ଆତ୍ମହତ୍ୟା ଉଦ୍ୟମରୁ ନିବୃତ କରାଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଦିଲ୍ଲୀ ଓ ମୁମ୍ବାଇ ପୋଲିସ୍ର ୩ ଡିସିପି ସାମିଲ ହୋଇଥିଲେ।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଫେସ୍ବୁକ୍ରେ ଅନେକ ଭିଡିଓ ପୋଷ୍ଟ କରିଥିଲେ। ତାଙ୍କର ଏହି ଭିଡିଓ ଦେଖି ଲାଗିଥିଲା ଯେ, ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଛନ୍ତି। ଏସବୁ ଆୟରଲ୍ୟାଣ୍ଡ୍ରେ ଥିବା ଫେସ୍ବୁକ୍ ଷ୍ଟାଫ୍ଙ୍କ ନଜରରେ ଆସିଥିଲା। ଏସବୁ ଭିଡିଓ ଦେଖିବା ପରେ ତାଙ୍କୁ ଲାଗିଥିଲା ଯେ, ବ୍ୟକ୍ତି ଜଣକ ଆତ୍ମହତ୍ୟା କରି ପାରନ୍ତି। ଏହାପରେ ତତ୍କ୍ଷଣାତ୍ ସେ ପତ୍ତା ଲଗାଇଥିଲେ ଯେ, ଫେସ୍ବୁକ୍ ଆକାଉଣ୍ଟ୍ କେଉଁ ସ୍ଥାନରୁ ଅପରେଟ୍ କରାଯାଉଛି। ଯେଉଁଥିରେ ଜଣାପଡ଼ିଥିଲା, ଦିଲ୍ଲୀର ଜଣେ ବ୍ୟକ୍ତି ଏହି ଫେସ୍ବୁକ୍ ଆକାଉଣ୍ଟ ଚଲାଉଛନ୍ତି। ଫେସ୍ବୁକ୍ର ଏହି ଷ୍ଟାଫ୍ ଜଣକ ତୁରନ୍ତ ଦିଲ୍ଲୀ ସାଇବର୍ ସେଲ୍ର ଡିସିପିଙ୍କୁ କଲ୍ କରି ଏସମ୍ପର୍କରେ ଜଣାଇଥିଲେ।
ସେଇ ଦିନ ସନ୍ଧ୍ୟା ୭ଟା ୫୧ରେ ଡିସିପିଙ୍କୁ ଉକ୍ତ ଫେସ୍ବୁକ୍ ଆକାଉଣ୍ଟ୍ ସମ୍ବନ୍ଧିତ ଆଇପି ଆଡ୍ରେସ୍ ଶେଆର୍ କରାଯାଇଥିଲା। ଏହାସହ ଏହି ଆକାଉଣ୍ଟ୍ ସହ ଜଡ଼ିତ ମୋବାଇଲ୍ ନମ୍ବର ମଧ୍ୟ ଶେଆର୍ କରାଯାଇଥିଲା। ଏହି ନମ୍ବରରେ ସାଇବର୍ ସେଲ୍ ପକ୍ଷରୁ ଫୋନ୍ ପରେ ଜଣାପଡ଼ିଥିଲା, ଉକ୍ତ ଫେସ୍ବୁକ୍ ଆକାଉଣ୍ଟ୍ ଅପରେଟ୍ କରୁଥିବା ବ୍ୟକ୍ତି ଜଣକ ଦିଲ୍ଲୀର ମଣ୍ଡାୱଲିରେ ରହୁଛନ୍ତି। ଏହାପରେ ପୂର୍ବ ଦିଲ୍ଲୀର ଡିସିପିଙ୍କ ସହ ଯୋଗାଯୋଗ କରାଯାଇଥିଲା। ଜଣାପଡ଼ିଥିଲା ଯେ, ଏହି ଆକାଉଣ୍ଟ୍ ଜଣେ ମହିଳାଙ୍କ ନାଁରେ ଅଛି। ଦିଲ୍ଲୀ ପୋଲିସ୍ ତାଙ୍କ ଘରେ ପହଞ୍ଚିଥିଲେ। ମହିଳା ଜଣଙ୍କ ପୋଲିସ୍କୁ କହିଥିଲେ ଆକାଉଣ୍ଟ୍ ତାଙ୍କ ନାଁରେ ଅଛି, ହେଲେ ତାଙ୍କ ସ୍ୱାମୀ ଏହି ଆକାଉଣ୍ଟ୍କୁ ବ୍ୟବହାର କରିଥାନ୍ତି। ମହିଳା ଜଣକ ଆହୁରି ମଧ୍ୟ କହିଥିଲେ ଯେ, ୨ ସପ୍ତାହ ପୂର୍ବେ ସ୍ୱାମୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ତାଙ୍କ ସ୍ୱାମୀ ମୁମ୍ବାଇ ପଳାଇ ଯାଇଥିଲେ। ହେଲେ ମୁମ୍ବାଇରେ କେଉଁଠି ସେ ରହୁଛନ୍ତି ଜାଣିନଥିବା ମହିଳା ଜଣକ କହିଥିଲେ।
ସେଇ ଦିନ ପାଖାପାଖି ରାତି ସାଢ଼େ ୯ଟାରେ ମୁମ୍ବାଇ ସାଇବର୍ ଡିସିପିଙ୍କୁ ଫୋନ୍ କରାଯାଇ ଏସମ୍ପର୍କରେ ଅବଗତ କରାଯାଇଥିଲା। ହେଲେ ଯେତେବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ କରଯାଇଥିଲା, ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା। ଏହାପରେ ଉକ୍ତ ବ୍ୟକ୍ତିଙ୍କ ମା’ଙ୍କୁ ଫୋନ୍ କରାଯାଇ ତାଙ୍କ ଲୋକେସନ୍ ଟ୍ରାକ୍ କରାଯାଇଥିଲା। ରାତି ପ୍ରାୟ ସାଢ଼େ ୧ଟା ସମୟରେ ପୋଲିସ୍ ଟିମ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ। ଶେଷରେ ବ୍ୟକ୍ତି ଜଣକ ତାଙ୍କ ନିଷ୍ପତ୍ତିରୁ ଓହରି ଥିଲେ। ଲକ୍ଡାଉନ୍ ଯୋଗୁ ଆର୍ଥିକ ସଙ୍କଟ ସୃଷ୍ଟି ହେବା ଫଳରା ଏଭଳି ନିଷ୍ପତ୍ତି ନେଇଥିବା ବ୍ୟକ୍ତି ଜଣକ ପୋଲିସ୍କୁ କହିଥିଲେ।