କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ସିସେଲ୍ସରେ ଟିକାକରଣ ପରେ ଅଚାନକ୍ ସଂକ୍ରମଣ ବୃଦ୍ଧି

ସଂକ୍ରମଣ ରୋକିବାରେ ଫେଲ୍ ମାରୁଛି କି କରୋନା କବଚ? 

  • ସର୍ବାଧିକ ଭାଗ ଜନସଂଖ୍ୟାକୁ ଟିକା ଦେଇଥିଲା ସିସେଲ୍ସ
  • ସକ୍ରିୟ ସଂକ୍ରମିତ ସଂଖ୍ୟା ୨ ସପ୍ତାହରେ ୨ଗୁଣ ହେବା ପରେ ଚିନ୍ତା
  • ଟିକା ଦକ୍ଷତାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଆବଶ୍ୟକ: ଡବ୍ଲୁଏଚ୍ଓ

ଭୟଙ୍କର ଭାବେ କାୟା ମେଲାଉଛି କରୋନା ମହାମାରୀ । କୁହାଯାଉଛି ଏହାକୁ ରୋକିବାକୁ ହେଲେ ଟିକାକରଣ ଏକମାତ୍ର ତଥା ଅମୋଘ ଅସ୍ତ୍ର । ସେଥିଲାଗି ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି ବିଶ୍ୱର ଅଧିକାଂଶ ଦେଶ । ଏଭିତରେ କରୋନା ରୋକିବାକୁ ଟିକା କେତେ ପ୍ରଭାବଶାଳୀ, ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । କାରଣ ରୂପ ବଦଳାଇ ଚାଲିଥିବା ଏହି ଘାତକ ଭୂତାଣୁ, ଟିକାକୁ ଚକମା ଦେଉଥିବା ଆଶଙ୍କା ପ୍ରକାଶ ପାଇଛି । ଭାରତ ମହାସାଗରରେ ଅବସ୍ଥିତ କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ସିସେଲ୍ସରେ ଟିକାକରଣ ପରେ ସଂକ୍ରମଣ ଜୋରଦାର ବଢିବା ପରେ ପ୍ରକାଶ ପାଇଛି ।

ଏଭଳି ଆଶଙ୍କା ବିଶ୍ୱର ଅନ୍ୟ ସବୁ ଦେଶ ତୁଳନାରେ ସିସେଲ୍ସ ତାର ଅଧିକାଂଶ ଭାଗ ଜନସଂଖ୍ୟାକୁ କରୋନା ଟିକା ଦେଇସାରିଛି । ଏଠାକାର ଅଧିକାଂଶ ଲୋକ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି ।  ଗତ ୨ ସପ୍ତାହରେ ଏଠାରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହଜାରେରୁ ସାମାନ୍ୟ ଅଧିକ ଥିବା ବେଳେ, ଏବେ ଏହା ପ୍ରାୟ ଅଢେଇ ହଜାରକୁ ବୃଦ୍ଧି ପାଇଛି । ତେବେ ଉଦବେଗର କଥା ହେଉଛି ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ପ୍ରତିଶତ ଲୋକ ଦୁଇ ଡୋଜ୍ ଭ୍ୟାକ୍ସିନ୍ ନେଇ ସାରିଛନ୍ତି ।

ଛୋଟଛୋଟ ଦ୍ୱୀପକୁ ନେଇ ଗଠିତ ସିସେଲ୍ସର ଲୋକସଂଖ୍ୟା ପ୍ରାୟ ଏକ ଲକ୍ଷ ଦେଶର ୫୭ ପ୍ରତିଶତ ଲୋକଙ୍କୁ ଚୀନ୍ ପ୍ରସ୍ତୁତ ସିନୋଫାର୍ମ ଟିକା ଦିଆ ଯାଇଥିବା ବେଳେ, ଅନ୍ୟମାନଙ୍କୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଅଷ୍ଟ୍ରାଜେନେକା ଟିକା ଦିଆଯାଇଛି । ତେବେ ସଂକ୍ରମଣ ବଢିବା ପରେ କୋଭିଡ୍ ବିରୁଦ୍ଧରେ ଲଢିବାକୁ ଟିକା କେତେ ସମର୍ଥ ତାକୁ ନେଇ ଉଠିଛି ପ୍ରଶ୍ନ ।  ସେଠାରେ ଦିଆଯାଇଥିବା ଟିକାର ଗୁଣବତ୍ତା ଠିକ୍ ନୁହେଁ, ନା ଟିକାକୁ ଚକମା ଦେବାରେ ଭୂତାଣୁ ସଫଳ ହେଉଛି, ତାହା ଏଯାଏଁ ସ୍ପଷ୍ଟ ହୋଇନି ।

ତେବେ କୋଭିଡ୍ ବିରୁଦ୍ଧରେ ଲଢିବା ଲାଗି ଟିକାର ଦକ୍ଷତା ସଂପର୍କରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଦରକାର ବୋଲି କହିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଟିକାକରଣ ମୁଖ୍ୟ କେଟ୍ ଓବ୍ରିଏନ୍ । ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା କୋଭିଡର B.1.351 ଭାରିଏଣ୍ଟ ସିସେଲ୍ସ୍ରେ ଦେଖିବାକୁ ମିଳିଥିଲା । ଏହି ଷ୍ଟ୍ରେନ ବିରୁଦ୍ଧରେ ଲଢିବାକୁ ଅଷ୍ଟ୍ରାଜେନକା ଭ୍ୟାକସିନ୍ ସମର୍ଥ ନୁହେଁ ବୋଲି କୁହାଯାଇଥିଲା ।

ସେପଟେ କରୋନା ବିରୁଦ୍ଧରେ ଲଢିବାକୁ ଭ୍ୟାକସିନ୍ ସମର୍ଥ ନା ନୁହେଁ ତାଙ୍କୁ ନେଇ ବିତର୍କ  ଭିତରେ, କିଛି ଦେଶରେ ଦେଖିବାକୁ ମିଳିଛି ଆଶାନୁରୂପ ଫଳ । ଏହାର ଶ୍ରେଷ୍ଠ ଉଦାହରଣ ହେଉଛି ଇସ୍ରାଏଲ । କୋଭିଡ୍ ସଂକ୍ରମଣ ରୋକିବା ଲାଗି ଇସ୍ରାଏଲ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରାଇଥିଲେ  । କରୋନା ଦ୍ୱାରା ଆକ୍ରାନ୍ତ ହେବା ଆଶଙ୍କା ଥିବା ବିଭିନ୍ନ ବୟସ ବର୍ଗର ଲୋକଙ୍କୁ ଫାଇଜର ଟିକା ଦିଆଯାଇଥିଲା । ଆଉ ତାର ପରିଣାମ ବି ଦେଖିବାକୁ ମିଳିଛି ଇସ୍ରାଏଲରେ । ସଂକ୍ରମଣ ସଂପୂର୍ଣ୍ଣ ଥମି ଯାଇଥିବା ବେଳେ, ଇସ୍ରାଏଲ ସରକାର ଦେଶକୁ କୋଭିଡ୍ ମୁକ୍ତ ଘୋଷଣା କରିଛନ୍ତି । ଫଳରେ ମାସ୍କ ପିନ୍ଧିବାଠୁ ଆରମ୍ଭ କରି ଅନ୍ୟ ସାମାଜିକ କଟକଣାକୁ ବି ହଟାଇ ଦିଆଯାଇଛି ।

You might also like