ଆଜି ଲ୍ୟାଣ୍ଡଫଲ୍ କରିବ ତାଉ’ତେ

୧୨ଟାରୁ ଅପରାହ୍ନ ୩ଟା ଭିତରେ ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା

ନୂଆଦିଲ୍ଲୀ: ଆଜି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ତାଉ’ତେ । ଦିନ ୧୨ଟାରୁ ଅପରାହ୍ନ ୩ଟା ଭିତରେ ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା । ପୋରବନ୍ଦର ଓ ମହୁବା ଦେଇ ସନ୍ଧ୍ୟା ୬ଟା ଭିତରେ ଅତିକ୍ରମ କରିବ ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ । ତେବେ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ ବୋଲି ଜଣାପଡ଼ିଛି । ଦଲକା ଦଲକା ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ପର୍ଯ୍ୟନ୍ତ ରହିବ ।

ବାତ୍ୟା ତାଉତେ ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଗୁଜରାଟ ସରକାର । କ୍ଷୟକ୍ଷତି ଆଶଙ୍କାରେ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର । ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ପ୍ରଶାସନ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଜି ଓ ଆସନ୍ତାକାଲି ଘରୁ ନବାହାରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ଟିକାକରଣ ପ୍ରକ୍ରିୟା ମଧ୍ୟ ବନ୍ଦ କରିଛନ୍ତି ଗୁଜରାଟ ସରକାର । ରାଜ୍ୟରେ ୪୪ ଏନଡିଆରଏଫ୍ ଟିମ୍ ଓ ୧୦ ଏସଡିଆରଏଫ୍ ଟିମ୍ ମୁତୟନ ହେବା ସହ ଆର୍ମି, ଏୟାରଫୋର୍ସ ଏବଂ ନାଭିକୁ ସଜାଗ ରଖାଯାଇଛି ।

ଅନ୍ୟପଟେ ତାଉତେ ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଉଚ୍ଚ ଜୁଆର ଆସିଛି। ଗୋଆ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ପ୍ରାୟ ଶହେଟି ବଡ ଘର ଏବଂ ଶହେଟି ଛୋଟ ଛୋଟ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ୍‌ ସରାବରାହ ମଧ୍ୟ ଅନେକ ସ୍ଥାନରେ ବନ୍ଦ ରହିଛି। ଏହା ପୂର୍ବରୁ କର୍ଣ୍ଣାଟକ ଓ କେରଳରେ ମଧ୍ୟ ତାଣ୍ଡବ ରଚିଥିଲା ଏହି ସାମୁଦ୍ରିକ ଝଡ।

ତେବେ ସ୍ଥଳଭାଗ ଛୁଇଁବାର ଢେର୍ ପୂର୍ବରୁ ବିପର୍ଯ୍ୟୟ ଘଟାଇଛି ସାମୁଦ୍ରିକ ଝ଼ଡ଼ ତାଉତେ । କେରଳର ଥିରୁଅନନ୍ତପୁରମରେ ସମୁଦ୍ରର ଉଚ୍ଚ ଜୁଆରରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଘର ଦ୍ୱାର । ଭାଲିଆଥୁରା ଅଞ୍ଚଳର ସମୁଦ୍ର ଜୁଆରରୁ ଘରକୁ ସୁରକ୍ଷିତ ରଖିବା ପାଇଁ ପଥର ବନ୍ଧ କରାଯାଇଥିଲେ ମଧ୍ୟ ଏହାକୁ ମାଡ଼ି ଯାଇ ବିପର୍ଯ୍ୟୟ ଘଟାଇଛି ।

You might also like