ଦ୍ୱିତୀୟ ଲହର ଯାଇନାହିଁ, ପୁଣି ଏହି ଦିନଠାରୁ ଦେଶରେ କାୟା ବିସ୍ତାର କରିବାକୁ ଯାଉଛି କରୋନାର ତୃତୀୟ ଲହର

ପୁଣି ଆସିବ ତୃତୀୟ ଲହର

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ ଏହା ନିଶ୍ଚିତ ଆସିବ। ଏବେ ଦ୍ୱିତୀୟ ଲହର ପାଇଁ ସାରା ଦେଶରେ ହାହାକାର ପଡ଼ିଥିବା ବେଳେ, ତୃତୀୟ ଲହର ଆସିବା ସୁନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ। ସେ କହିଛନ୍ତି, କରୋନାର ତୃତୀୟ ଲହର ନିଶ୍ଚିତ ଆସିବ। ତେବେ ଏହା କେବେ ଆସିବ କହିହେବନି। ଏଥିପାଇଁ ଆମ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଥିସହ ଦ୍ରୁତ ଗତିରେ ବ୍ୟାପୁଥିବା ନୂଆ ଷ୍ଟ୍ରେନ୍ ସହ ଲଢ଼ିବା ପାଇଁ ଟିକାରେ ମଧ୍ୟ ବିକାଶ ହେବା ଦରକାର ବୋଲି ସେ ମତ ପ୍ରକାଶ କରିଛନ୍ତି।

ସେପଟେ ଦେଶର ସର୍ବାଧିକ ପ୍ରଭାବିତ ୫ଟି ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା କମୁଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ଲବ ଅଗ୍ରନାଲ। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ସଂଖ୍ୟା କମୁଥିବା ବେଳେ କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ବିହାରରେ ବଢୁଥିବା ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି। ୧୨ଟି ରାଜ୍ୟରେ ଏବେ ଆକ୍ଟିଭ୍‌ କେସ୍ ୧ ଲକ୍ଷରୁ ଅଧିକ ରହିଛି।

ସେପଟେ କରୋନାର ଲହର ଏବେ ବି ଜାରି ରହିଛି । ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ରେ ପହଞ୍ଚିଛି ।

ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୩୪, ୮୭,୨୨୯ ରହିଛି ଯାହା ମୋଟ ମାମଲାର ୧୬.୮୭ ପ୍ରତିଶତ । ସେହିପରି ସୁସ୍ଥ ହୋଇ ଫେରିଛନ୍ତି ୮୨.୦୩ ପ୍ରତିଶତ ଅର୍ଥାତ୍‌ ୧, ୬୯.୫୧,୭୩୧ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ୪ ଲକ୍ଷ ୯୪ ହଜାର ୧୮୮ ଡୋଜ୍‌ ଟିକାକରଣ ହୋଇସାରିଛି । ସେହିପରି ମୃତ୍ୟୁହାର ହ୍ରାସ ପାଇ ୧.୦୯ରେ ପହଞ୍ଚିଛି ।

ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହର ଏମିତି କାୟା ବିସ୍ତାର କରିଛି ଯେ, ତ୍ରାହୀ ତ୍ରାହୀ ଡାକିଲେଣି ଲୋକେ। ଆଉ ଏହାରି ମଧ୍ୟରେ ପୁଣି ଥରେ ତୃତୀୟ ଲହର ଆସିବା ଖବର ଆତଙ୍କିତ କରଛି।

You might also like