କରୋନା ଲଢ଼େଇକୁ ମିଳିଲା ବଳ; ଟିକା କ୍ଷେତ୍ରରେ ବିଶ୍ୱକୁ ପଛରେ ପକାଇଲା ଭାରତ

ଭୁବନେଶ୍ୱର: କରୋନା ଟିକାକୁ ଅନୁମତି ମିଳିବା ପରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦେଶରେ ବ୍ୟବହାର ଲାଗି ଏକାଥରକେ ଦୁଇଟି ଟିକାକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍ ଅଫ୍ ଇଣ୍ଡିଆ। (DCGI)। ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଉଭୟ ଟିକା ଶତ ପ୍ରତିଶତ ସୁରକ୍ଷିତ ବୋଲି DCGI ଡାକ୍ତର  ଭି.ଜି. ସୋମାନି କହିଛନ୍ତି। ଅନ୍ୟପକ୍ଷରେ ସ୍ୱଦେଶୀ ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିବା ପ୍ରତି ଭାରତୀୟ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

DCGI ଦୁଇଟି ଟିକାକୁ ଅନୁମତି ଦେବା ପରେ କରୋନା ଲଢ଼େଇକୁ ବଳ ମିଳିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ଟିକା କ୍ଷେତ୍ରରେ ସାରା ବିଶ୍ୱକୁ ପଛରେ ପକାଇ ଦେଇଛି ଭାରତ। କାରଣ ଏକା ବେଳକେ  ଦୁଇଟି ଟିକାକୁ ଅନୁମତି ଦେଇଛି ଭାରତ। ଅକ୍ସଫୋର୍ଡ ୟୁନିଭରସିଟି ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ ମିଳିଛି।

ସେପଟେ ଉଭୟ ଟୀକା ମଣିଷ ଶରୀର ଲାଗି ଶତ ପ୍ରତିଶତ ସୁରକ୍ଷିତ ବୋଲି DCGI ଡାକ୍ତର  ଭିଜି ସୋମାନି କହିବା ସହିତ ସୁରକ୍ଷା ପ୍ରସଙ୍ଗକୁ ନେଇ ସାମାନ୍ୟତମ ସନ୍ଦେହ ଥିଲେ ଡିସିଜିଆଇ ଅନୁମତି ଦିଅନ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ଏନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ସିଂହ ଗୁଲେରିଆ କହିଛନ୍ତି “ଉଭୟ ଭ୍ୟାକ୍ସିନ୍‌ ଭାରତରେ ତିଆରି ହୋଇଛି , ହେଲେ ସେଥିମଧ୍ୟରୁ ଗୋଟିଏ ଭ୍ୟାକ୍ସିନ୍‌କୁ ଭାରତ ପ୍ରସ୍ତୁତ କରିଛି। ଏଇଠି ଗବେଷଣା ହୋଇଛି।। ଏବଂ ଏହା ଉଚିତ୍‌ ମୂଲ୍ୟର।”

ଏପଟେ ଦେଶୀ କରୋନା ଟିକାକୁ ବ୍ୟବହାର ଅନୁମତି ମିଳିବା ଦେଶବାସୀଙ୍କ ଲାଗି ଗୌରବର କଥା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତ୍ମ ନିର୍ଭର ଭାରତ ଅଭିଯାନ ପ୍ରତି ଏହା ଆମ ବୈଜ୍ଞାନିକମାନଙ୍କ ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରୁଥିବା ଟୁଇଟ୍ କରିଛନ୍ତି ମୋଦି।

ଏପଟେ ନେଇଥିବା ରିସ୍କ ଶେଷରେ ସଫଳତାରେ ପରିଣତ ହୋଇଛି ବୋଲି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଦର ପୁନାଓ୍ୱାଲା କହିଛନ୍ତି। ଦେଶବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ କୋଭିସିଲ୍ଡ ସଂପୂର୍ଣ୍ଣ ସୁରକ୍ଷିତ, କରୋନା ମୁକାବିଲା କରିବାରେ ସଂପୂର୍ଣ୍ଣ ସମର୍ଥ ଓ ଆଗାମୀ ସପ୍ତାହରେ ଏହାକୁ ବଜାରକୁ ଛଡ଼ାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଦୁଇଟି ଭାରତୀୟ ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିବା କରୋନା ବିରୋଧୀ ଯୁଦ୍ଧକୁ ବଳ ଯୋଗାଇବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶା ପ୍ରକାଶ କରିଛି।

ଉଭୟ ଘରୋଇ ଓ ସରକାରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ, ପୌର କର୍ମଚାରୀ ଓ କରୋନା ଲଢ଼େଇର ସମସ୍ତ ସମ୍ମୁଖ ଯୋଦ୍ଧା, ୫୦ରୁ ଅଧିକ ବୟସର ନାଗରିକ ଏବଂ ଯେଉଁ ଅଞ୍ଚଳରେ କରୋନାର ପ୍ରକୋପ ଅଧିକ ଥିବ ସେଇ ଅଞ୍ଚଳର ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବ। ତେବେ ଏଥିଲାଗି CO-WIN ଆପ୍‌ରେ ପଂଜୀକରଣ କରିବା ବାଧ୍ୟତାମୂଳକ। ଆଗାମୀ ୮ରୁ ୯ ମାସ ମଧ୍ୟରେ ଦେଶର ୩୦ କୋଟି ଲୋକଙ୍କୁ କରୋନା ଟିକା ଦେବା ଲାଗି ଲକ୍ଷ୍ୟ ରଖାଯାଇଛି।

ଟିକାକରଣ ପାଇଁ ସ୍ୱତନ୍ତ୍ର ଆପ୍ Co-WIN କାର୍ଯ୍ୟକାରୀ ହେବ ନେଇ ୨୦୨୦ ଡିସେମ୍ବର ୮ ତାରିଖରେ ସୂଚନା ଦେଇଥଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଆପ୍‌ରେ ଟିକା ପାଇଁ ନିଜକୁ ପଞ୍ଜୀକରଣ କରିପାରିବେ। ଗୋଷ୍ଠୀଗତ ରେଜିଷ୍ଟ୍ରେସନ ମଧ୍ୟ ଆପ୍ ଦ୍ୱାରା କରାଯାଇପାରିବ। ନିକଟରେ କେଉଁଠି ଟିକାକରଣ କେନ୍ଦ୍ର ରହିଛି,ଏହା ଆପ୍‌ରୁ ସୂଚନା ମିଳିଯିବ। ଟିକା ସଂରକ୍ଷଣ, ପରିଚାଳନା ଆଦି ମଧ୍ୟ ଆପ୍ ଦ୍ୱାରା ସୂଚନା ମିଳିବ।

ପୂର୍ବରୁ କରୋନା ଭାଇରସକୁ ଟ୍ରାକିଂ କରିବା ପାଇଁ ଆରୋଗ୍ୟ ସେତୁ ଆପ୍‌ ଲଞ୍ଚ କରିଥିଲା ଭାରତ। ଏପ୍ରିଲ ମାସେର ଏହାକୁ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆରୋଗ୍ୟ ସେତୁ ଆପ୍‌ ଦେଶର କରୋନା କ୍ଲଷ୍ଟର ଚିହ୍ନଟ କରିବାରେ ସାହାଯ୍ୟ କରୁଛି ବୋଲି ‘ହୁ’ର ନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ ଗେବ୍ରିୟେସୁସ୍ କହିଥିଲେ।

 

You might also like