ମନେ ପଡେ ସେଇ ଚକା ଆଖି..ଆଉ ତା’ର ଆଶ୍ୱାସନା

ତାଙ୍କ ପାଇଁ ନନ୍ଦିଘୋଷ କେବେ ଅଟକି ଯାଇନି…କିନ୍ତୁ ତାଙ୍କ ଦରଦୀ କଣ୍ଠର ଯାଦୁରେ ମନ ନନ୍ଦିଘୋଷ ଆପେ ଆପ ଅଟକି ଯାଏ ବଡ଼ଦାଣ୍ଡରେ..। ହାତପାଆନ୍ତରେ ଅବଢା ମୁଠାଏ ମିଳୁ ବା ନ ମିଳୁ, ତାଙ୍କ କଣ୍ଠରୁ ‘ଅବଢା ମୁଠିଏ ମୋତେ ମିଳୁ…ମହାବାହୁ..’ ଗୀତ ଥରେ ଶୁଣି ଦେଲେ ମହାପ୍ରସାର ମହମହ ବାସ୍ନାରେ ପେଟ ପୂରିଯାଏ…ସେ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ବସନ୍ତ ପାତ୍ର...।ଜଗନ୍ନାଥଙ୍କୁ ନେଇ ତାଙ୍କ ଅନୁଭୂତି ଆସନ୍ତୁ ଜାଣିବା….

ଡ଼ିଶାରେ ରହିବାର ଅଦମ୍ୟ ଇଚ୍ଛା ମୋତେ ଅସ୍ଥିର କରିଦେଉଥାଏ । ମାୟା ନଗରୀ ମୁମ୍ବାଇର ପ୍ରତିଷ୍ଠା, ଚାକିରିରେ ମୁଁ ଅଣନିଃଶ୍ୱାସୀ ହୋଇ ଯାଉଥାଏ।
ପ୍ରତି ମୁହୂର୍ତ୍ତରେ ମୋତେ ଲାଗେ, ଯେମିତି କେହି ଡାକୁଛି ! ହେଲେ କାହାର ସେ ଡାକ ! ପ୍ରତିଥର ଛୁଟିରେ ଗାଁ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସ୍ଥିତ ବଡ ନୂଆଗାଁ ଆସିବା ବେଳେ ପୁରୀ ଆସେ। ଜଗନ୍ନାଥଙ୍କ ଦର୍ଶନ କରେ । ସେ ଚକାଆଖିକୁ ଚାହିଁ ଦେଲେ ମୋ ପାଟିରୁ ଗୋଟିଏ ନିବେଦନ ବାହାରି ଆସେ, ‘ ପ୍ରଭୁ ମୋତେ ଆଉ ମୁମ୍ବାଇ ପଠାଅନି ।’
ଲାଗେ, ସେଇ ଚକା ଚକା ଆଖି ଯେମିତି ମୋତେ ଆଶ୍ୱାସନା ଦେଉଛି –‘ନିଶ୍ଚୟ ଓଡ଼ିଶା ଆସିବୁ।’ ସେଇ ଆଶ୍ୱାସନା ବାଣୀ ଶୁଣି ମୁଁ ଫେରିଆସେ। ଛୁଟ ସରିଯାଏ।

ହେଲେ ଜୀବନଧାରାରେ କିଛି ପରିବର୍ତ୍ତନ ହୁଏନି । ପୁଣି ଲୁହ ଆଉ କୋହକୁ ବୋହି ଚାଲେ ମୁମ୍ବାଇ।

୧୯୯୬ ମସିହାର ଏକ ଅଳସ ଅପରାହ୍ନ । ମୁମ୍ବାଇରୁ ଭୁବନେଶ୍ୱର ଆସିଥାଏ। ଛୁଟି ସରି ଆସିବାର ଦୁଃଖ ଆଉ ଚକାଆଖିର ସେଇ ଆଶ୍ୱାସନା ଭିତରେ ମୁଁ ଆନମନା ହେଉଥାଏ। କିଛିଟା ହତାଶାବୋଧ ମୋ ଭିତରର ଦମ୍ଭକୁ ଆସ୍ତେ ଆସ୍ତେ ଯେମିତି ଭାଙ୍ଗି ଦେଉଥାଏ।

ଏମିତି ବୁଲୁବୁଲୁ ଘଟଣାକ୍ରମରେ ଦେଖାହୁଏ କଣ୍ଠଶିଳ୍ପୀ ଏବଂ ତବଲା ବାଦକ ଶରତ ବାରିକଙ୍କ ସହ। ବିଭିନ୍ନ ଆଲୋଚନା ଭିତରେ ସଙ୍ଗୀତକୁ ନେଇ ମଧ୍ୟ କଥାବାର୍ତ୍ତା ହୁଏ। ୟା ଭିତରେ ତାଙ୍କ ଆଗରେ ମୁଁ ଗାଇଦିଏ ଗୋଟିଏ ଜଗନ୍ନାଥଙ୍କ ଭଜନ।

ବାସ୍‌ ! ସେଇ ଗୋଟିଏ ଜଗନ୍ନାଥ ଭଜନ ଯେ ମୋ ଜୀବନର ଗତିପଥକୁ ଏମିତି ବଦଳାଇ ଦେବ ମୁଁ ସ୍ୱପ୍ନରେ ଭାବି ନ ଥିଲି। ଶରତ ଭାଇ ମୋତେ ପରିଚିତ କରାଇଲେ ସଙ୍ଗୀତଜ୍ଞ ସ୍ୱର୍ଗତ ଅରବିନ୍ଦ ମୁଦୁଲିଙ୍କ ସହ। ଅରବିନ୍ଦ ମୁଦୁଲି ମୋ ଗୀତ ଶୁଣି ତାଙ୍କ ସହ ମଞ୍ଚରେ ଗାଇବାର ସୁଯୋଗ ଦେଲେ। ଅନୁରୋଧ ବି କଲେ, ତୁମେ ଭୁବନେଶ୍ୱରରେ ରହିଯାଅ, ଆମେ ମିଶି ଷ୍ଟେଜ୍‌ ପ୍ରୋଗ୍ରାମ୍‌ କରିବା। ତୁମର ଗୀତର ରେକର୍ଡିଂ ବି କରିବା।

ମୋର ଠିକ୍‌ ମନେ ଅଛି, ସେଇ ମୁହୂର୍ତ୍ତରେ ମୋ ଆଖି ଆଗରେ ନାଚିଗଲା ସେଇ ଚକା ଚକା ଆଖି ଆଉ ତାର ଆଶ୍ୱାସନା। ମୁଁ ଗୀତ ଗାଉଥିଲି ଆଉ ଗାଇବାକୁ ବି ଭଲ ପାଉଥିଲି। କିନ୍ତୁ ଗୀତ ହିଁ ଯେ ମୋର ପରିଚୟ ହେବ ମୁଁ ଭାବି ନ ଥିଲି।

ଶରତ ଭାଇ ଓ ଅରବିନ୍ଦ ମୁଦୁଲିଙ୍କର ସେଇ ପଦେ କଥାରେ ମୁଁ ଚାକିରି ଛାଡି ଓଡ଼ିଶାରେ ରହିବାର ନିଷ୍ପତ୍ତି ନେଇଥିଲି। ହିସାବ କରି ନ ଥିଲି ସେଇ ମଞ୍ଚ ଓ ରେକର୍ଡିଂ ଗୀତ ମୋତେ କ’ଣ ଦେବ.. କ’ଣ ନ ଦେବ..। ଖାଲି ଭାବୁଥିଲି, ଓଡ଼ିଶାରେ ରହିବା ପାଇଁ ଗୋଟେ ବାହାନା ତ ମିଳିଗଲା !

ସେ ଦିନରୁ ଆଜି ଯାଏ ଏ ଲମ୍ବା ରାସ୍ତା କେମିତି କଟିଛି, କେତେ ଝୁଣ୍ଟିଛି…କେତେ ଉଠିଛି…ତାର ତାଲିକା ମୋ ପାଖରେ ନାହିଁ। ୟା ଭିତରେ ଅନେକ ଜଗନ୍ନାଥ ଭଜନ ଗାଇଛି। ପ୍ରାୟ ସବୁ ଲୋକପ୍ରିୟ ହୋଇଛି ଆଉ ମୋର ପରିଚୟ ସୃଷ୍ଟି କରିଛି।

ଅନେକ ବର୍ଷ ବିତି ଯାଇଛି। ୟା ଭିତରେ ଏତିକି ଅନୁଭବ କରିଛି, ବିପତ୍ତି ଯେତେବଡ଼ ହେଉ ନା କାହିଁକି, ଦୁଇ/ତିନୋଟି ଭଜନ ଜଗନ୍ନାଥଙ୍କ ପାଇଁ ଗାଇଦେଲେ ମୋତେ ଶକ୍ତି ମିଳିଯାଏ ସେଇ ବିପତ୍ତିକୁ ସାମ୍ନା କରିବା ପାଇଁ। ଏବେ ବି ଜଗନ୍ନାଥଙ୍କର ଚକା ଆଖିକୁ ଚାହିଁ ଦେଲେ ସେଇ ଆଶ୍ୱାସନା ମୁଁ ପାଏ…‘ନିଶ୍ଚୟ ହେବ…’

ଆଉ ଗୋଟିଏ ଘଟଣାର ଅଳ୍ପ ଦିନ ତଳର। ବହୁତ ଇଚ୍ଛା ଥାଏ ଠାକୁରଙ୍କ ଅନବସରବେଳେ ଅଲାରନାଥ ଦର୍ଶନ କରନ୍ତି ! ପତ୍ନୀଙ୍କର ଇଚ୍ଛା ବି ଠିକ୍‌ ସେଇଆ। କିନ୍ତୁ ଯିବାର କିଛି ସୁବିଧା ହୋଇ ପାରୁ ନ ଥିଲା। ମନ ଦୁଃଖରେ ବସିଛି। ଆଖି ଆଗରେ ଭାସି ଯାଉଥିଲା ଜଗନ୍ନାଥଙ୍କର ସେଇ ଚକା ଚକା ଆଖି।

ହଠାତ୍‌ ଫୋନ ଶବ୍ଦରେ ମୁଁ ସମ୍ବିତ୍‌ ଫେରି ପାଇଲି ଆଉ ଫୋନ ଉଠାଇଲି। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଅଲାରନାଥଙ୍କ ପାଖରେ ସେହିଦିନ ରାତିରେ ଭଜନ କାର୍ଯ୍ୟକ୍ରମ ଅଛି। ମୋତେ ଗୀତ ଗାଇବା ପାଇଁ ଅନୁରୋଧ ଆସିଥିଲା। କେମିତି ତାଙ୍କୁ ହଁ କହିବି ଭାଷା ପାଉ ନ ଥିଲି। ଗଦ୍‌ଗଦ୍ ହୋଇ ଭାବୁଥିଲି…ଚକା ଆଖିରେ ପଟି ବାନ୍ଧି ବି ଜଗା ମନକଥା ଏମିତି ପଢିପାରେ !

You might also like