ଫାଇନାଲ୍ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି

କୋଲକାତା: ସମସ୍ତ ବିଶ୍ୱବିଦ୍ୟାଳୟରେ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ବର୍ଷ ପରୀକ୍ଷା କରାଯିବା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଏବଂ ୟୁଜିସି ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନର ତୁରନ୍ତ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ମମତା। କରୋନା ଭଳି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସହ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଷ୍ପତ୍ତିର ପୁନର୍ବିଚାର ଲାଗି ମମତା ନିବେଦନ କରିଛନ୍ତି। ଏଥିସହ ଗତ ଏପ୍ରିଲ ୪ ତାରିଖରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଏବଂ ୟୁଜିସି ଜାରି କରିଥିବା ଗାଇଡଲାଇନକୁ ଲାଗୁ କରିବା ଲାଗି ମମତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ସେପଟେ ଦିଲ୍ଲୀ ସରକାରଙ୍କ ଅଧିନରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକର ଆଗାମୀ ପରୀକ୍ଷା ବାତିଲ ହୋଇଛି। ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ଫାଇନାଲ ପରୀକ୍ଷା ସହ ଅନ୍ୟ ପରବର୍ତ୍ତୀ ସେମିଷ୍ଟର ପରୀକ୍ଷା ବାତିଲ କରାଯାଇଛି। ଛାତ୍ରଛାତ୍ରୀଙ୍କ ପୂର୍ବ ସେମିଷ୍ଟର ପରୀକ୍ଷା ଏବଂ ଇଣ୍ଟରନାଲ ଆସେସମେଣ୍ଟ ମାର୍କକୁ ନେଇ ଶେଷ ବର୍ଷ କିମ୍ବା ସେମିଷ୍ଟର ମାର୍କ ପ୍ରଦାନ କରାଯିବ। ଦିଲ୍ଲୀ ସରକାରଙ୍କ ତରଫରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ କେବଳ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଅଧୀନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହା କାର୍ଯ୍ୟକାରୀ ହେବ ନାହିଁ।

ଏପଟେ ପୂର୍ବରୁ ମଧ୍ୟ UG ଓ PG ପରୀକ୍ଷା ବାଧ୍ୟତାମୂଳକ ନକରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କଙ୍କୁ ଚିଠି ଲେଖିଥିଲେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ୟୁଜିସି ତରଫରୁ ସମସ୍ତ ବିଶ୍ୱବିଦ୍ୟାଳୟରେ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଚଳିତ ବର୍ଷର ଆଗାମୀ ସେମିଷ୍ଟର ସହ ଶେଷବର୍ଷ ପରୀକ୍ଷା ସମ୍ପନ୍ନ କରିବାକୁ ନୂଆ ନିର୍ଦ୍ଦେଶ ହୋଇଥିଲା।

You might also like