ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍ ମିଳିବା ଓ ପରେ ଏହି ଘଟଣାରେ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ ଓ୍ୱାଜେ NIA(National Investigation Agency) ଦ୍ୱାରା ଗିରଫ ହେବା ଘଟଣାରେ ନୂଆ ମୋଡ଼ ନେଇଛି। ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂଙ୍କ ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ପୋଲିସ୍ କମିଶନର ପଦରୁ ବିଦା ହୋଇଥିବା ପରମବୀର ସିଂ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପରମବୀର ସିଂ, ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଓ ବଟି ଆଦାୟ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ପରମବୀର ସିଂ ଜଣାଇଛନ୍ତି ଯେ, ବାର୍ ଓ ହୁକା ପାର୍ଲରରୁ ମାସକୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବା ପାଇଁ ଅନୀଲ ଦେଶମୁଖ, ସଚିନ ଓ୍ୱାଜେଙ୍କୁ ଟାର୍ଗେଟ୍ ଦେଇଥିଲେ। ଏକଥା ନିଜେ ଓ୍ୱାଜେ ତାଙ୍କୁ କହିଥିବା ପରମବୀର ଦର୍ଶାଇଛନ୍ତି। ଏଥିସହ ଅନୀଲ ଦେଶମୁଖ ପୋଲିସର କାର୍ଯ୍ୟଧାରାରେ ହସ୍ତକ୍ଷେପ କରୁଥିଲେ ଏବଂ କାହା ବିରୋଧରେ କେଉଁ ଚାର୍ଜ ଲାଗିବ ସେନେଇ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିଲେ ବୋଲି ପରମବୀର ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହାକୁ ମିଥ୍ୟା ଅଭିଯୋଗ ବୋଲି ଅନୀଲ ଦେଖମୁଖ କହିଛନ୍ତି। ଟ୍ୱିଟ୍ କରି ଅନୀଲ ଦେଖମୁଖ କହିଛନ୍ତି, ମୁକେଶ ଅମ୍ବାନୀ ଓ ମନସୁଖ ହିରନ ମାମଲାରେ ନିଜକୁ ବଞ୍ଚାଇବା ପାଇଁ ପରମବୀର ଏଭଳି ମିଛ ଅଭିଯୋଗ ଆଣୁଛନ୍ତି। ତଦନ୍ତର ଖିଅ ତାଙ୍କ ଆଡ଼େ ବି ଲମ୍ବିଛି।
The former Commissioner of Police, Parambir Singh has made false allegations in order to save himself as the involvement of Sachin Waze in Mukesh Ambani & Mansukh Hiren’s case is becoming clearer from the investigation carried out so far & threads are leading to Mr. Singh as well
— ANIL DESHMUKH (@AnilDeshmukhNCP) March 20, 2021
ଅମ୍ବାନୀଙ୍କ ସୁରକ୍ଷା ପ୍ରସଙ୍ଗରେ ତ୍ରୁଟି ଦର୍ଶାଇ ଗତ ବୁଧବାର ମହାରାଷ୍ଟ୍ର ସରକାର ପରମବୀର ସିଂହଙ୍କୁ ପୋଲିସ କମିଶନର ପଦରୁ ହଟାଇ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ହେମନ୍ତ ନଗ୍ରାଲେଙ୍କୁ ନିଯୁକ୍ତ କରିଥିଲେ।
ସେପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ତଥା କଂଗ୍ରେସ ନେତା ଅନୀଲ ଦେଶମୁଖଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିବା ପରେ ଜୋର ଧରିଛି ରାଜନୀତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ତାଙ୍କର ଇସ୍ତଫା ଦାବି କରିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍। ସେ କହିଛନ୍ତି, ଅନୀଲ ଦେଶମୁଖ ନିଜ ଆଡ଼ୁ ଇସ୍ତଫା ନ ଦେଲେ, ମୁଖ୍ୟମନ୍ତ୍ରୀ ତାଙ୍କୁ ପଦଚ୍ୟୁତ୍ କରିବା ଉଚିତ୍ ଏବଂ ଏହି ଅଭିଯୋଗର କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କିମ୍ବା କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେଉ।