ଆତଙ୍କବାଦୀଙ୍କ ସହିତ ସମ୍ପର୍କ ନେଇ ପିଡିପି ନେତା ଗିରଫ: ମେହବୁବା କହିଲେ ବ୍ଲାକ୍ମେଲ୍
ଶ୍ରୀନଗର: ଆତଙ୍କବାଦୀ ସହିତ ସମ୍ପର୍କ ନେଇ ପିଡିପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ୱାହୀଦ ଉର ରେହମାନ ପାର୍ରାଙ୍କୁ ବୁଧବାର ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ (ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ ଏଜେନ୍ସି)। ଏହି ମାମଲାରେ ପୂର୍ବରୁ ନିଲମ୍ବିତ ଓ ହୋଇଥିବା ଏସ୍ପି ଦବିନ୍ଦରଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିବା ପରେ ଗତ ଦୁଇଦିନ ହେଲା ୱାହୀଦଙ୍କୁ ଦିଲ୍ଲୀସ୍ଥିତି ମୁଖ୍ୟାଳୟରେ ପଚରାଉଚରା କରାଯାଇଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି।
ଏହି ମାମଲାରେ ପ୍ରଥମ ରାଜନେତା ଭାବେ ୱାହୀଦ ଗିରଫ ହୋଇଛନ୍ତି। ଏନେଇ ପିଟିଆଇରେ ଖବର ପ୍ରକାଶ ପାଇଛି। ହିଜବୁଲ ମୁଜାହିଦ୍ଦିନର ଷଡ଼ଯନ୍ତ୍ରରେ ସହାୟକ ହେବା ସହିତ ଅତଙ୍କବାଦୀ ନଭୀଦ ବାବୁ ଓ ନିଲମ୍ବିତ ଏସ୍ପି ଦବିନ୍ଦର ସିଂହ ଲହିତ ୱାହୀଦଙ୍କର ଲିଙ୍କ୍ ଥିବା ପିଟିଆଇ ଉଲ୍ଲେଖ କରିଛି।
ୱାହୀଦଙ୍କ ଗିରଫକୁ ବ୍ଲାକମେଲ୍ ଓ ଜାମ୍ମୁ-କାଶ୍ମୀର ଅନ୍ୟ ଦଳଗୁଡ଼ିକୁ ଭୟଭୀତ କରିବା ପାଇଁ ଏପରି କରାଯାଇଛି ବୋଲି କହିଛନ୍ତି ପିଡିପି ମୁଖ୍ୟା ମେହବୁବା ମୁଫ୍ତୀ। ଦଳର ଯୁବମୋର୍ଚ୍ଚା ଅଧ୍ୟକ୍ଷଙ୍କୁ ମିଛ କେସ୍ରେ ଗିରଫ କରାଯାଇଥିବା ସେ କହିଛନ୍ତି।
ସୂଚନା ଅନୁସାରେ, ୱାହୀଦ ଡିଷ୍ଟ୍ରିକ୍ଟ ଡେଭଲପମେଣ୍ଟ କାଉନ୍ସିଲ୍ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥିଲେ। ଦକ୍ଷିଣ କାଶ୍ମୀରର ଯୁବକମାନଙ୍କ ମଧ୍ୟରେ ତାଙ୍କର ଭଲ ସମ୍ପର୍କ ରହିଛି। ଏବଂ ଦଳର ବହୁ ଜନସାଧାରଣ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।