ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ନୂଆଦିଲ୍ଲୀ: ଭାରତର ଅର୍ଥ ବ୍ୟବସ୍ଥା ସୁଧୁରୁଛି।  ଆଶା କରାଯାଉଥିବା ସମୟଠାରୁ ଶୀଘ୍ର ଟ୍ରାକକୁ ଫେରିଛି। ଶ୍ରମ ଆଇନ, କୃଷି ଆଇନ ଏବଂ ଉତ୍ପାଦନ କ୍ଷେତ୍ରରେ ନିକଟ ଅତୀତରେ ଭାରତ ସରକାର ଯେଉଁ ପରିବର୍ତ୍ତନ କରିଛନ୍ତି, ତାହା ଆଗାମୀ ଦିନରେ ଭାରତର ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଦେଖିବ।  କରୋନା ଭାକ୍ସିନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ଟିକା ନେଇ ସାରା ଦେଶରେ ବିତର୍କ ଜୋରଦାର ହୋଇଛି। । ତେବେ  କରୋନା ଟିକା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ଏବଂ କେହି ବାଦ୍‌ ପଡ଼ିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଇଂରାଜୀ ଖବରକାଗଜ ଇକୋନୋମିକ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କରୋନା ମହାମାରୀ ମଧ୍ୟରେ ଭାରତର ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ନିଆଯାଇଥିବା ଦ୍ରୁତ ସଂସ୍କାରମୂଳକ ପଦକ୍ଷେପ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବିଶ୍ୱର ଅନ୍ୟ ଦେଶମାନେ ବର୍ତ୍ତମାନ ଭାରତର ବଜାର ଶକ୍ତି ଉପରେ ଭରସା କରିବାକୁ ଆରମ୍ଭ କଲେଣି। ଏହା ପୁଞ୍ଜି ବିନିଯୋଗର ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ ହେବାକୁ ଯାଉଛି।

ସେ କହିଛନ୍ତି ଯେ ଠିକ୍ ସମୟରେ ଲକ୍‌ଡାଉନର ଫଳ ମିଳିଛି। ଅନେକ ଜୀବନ ରକ୍ଷା କରାଯାଇ ପାରିଛି। ପିଏମ ମୋଦୀ କହିଛନ୍ତି ଯେ ଭାରତର ଅର୍ଥନୀତି ପୁଣିଥରେ ଟ୍ରାକ୍‌କୁ ଫେରିଛି ।୨୦୨୪ ସୁଦ୍ଧା ଆମେ ୫ ଟ୍ରିଲିୟନ ଡଲାରର ଅର୍ଥନୀତିର ଲକ୍ଷ୍ୟ ପୂରଣ କରିବୁ।

ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ମାମଲା ହ୍ରାସ ପାଉଛି। ତେବେ ଏହାର ଅର୍ଥ ନୁହେଁ,  ଉତ୍ସବ ପାଳନ କରିବାର ସମୟ ଆସିଛି। ଆମର ଆଚରଣ ଏବଂ ଆମର ବ୍ୟବସ୍ଥାକୁ ମଜବୁତ କରିବାର ସମୟ ଆସିଛି।

ସେ କହିଛନ୍ତି, ‘ ମୁଁ ଭାବୁଛି କରୋନା ମହାମାରୀର ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଉପରେ ଆମକୁ ଅଧିକ ଧ୍ୟାନ ଦେବା ଉଚିତ୍। ଆମକୁ ଲୋକଙ୍କୁ ଅଧିକ ସଚେତନ କରାଇବାକୁ ପଡିବ ଏବଂ କରୋନା ମହାମାରୀକୁ ଶେଷ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବାକୁ ପଡ଼ିବ ।

You might also like