କୋଲକାତାରେ ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ

କୋଲକାତା: କୋଲକାତାରେ ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। କୋଲକାତା ଏବଂ ଏହାର ପାଖ ଅଞ୍ଚଳରେ RTPCR ଟେଷ୍ଟ କରୁଥିବା ପ୍ରତି ଦୁଇ ଜଣରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ସେହିପରି ପଶ୍ଚିମବଙ୍ଗର ଅନ୍ୟ ଅଞ୍ଚଳରେ ପ୍ରତି ୪ ଜଣରେ ଜଣେ ପଜିଟିିଭ୍ ବାହାରୁଛନ୍ତି। ଏପ୍ରିଲ ମାସ ଆରମ୍ଭରେ ପ୍ରତି ୨୦ ଜଣରେ ଜଣେ ଆକ୍ରାନ୍ତ ହେଉଥିବା ବେଳେ ଏବେ ସଂକ୍ରମିତଙ୍କ ସଂଖ୍ୟା ୫ ଗୁଣା ବୃଦ୍ଧି ପାଇଛି। କିଛି ସ୍ଥାନରେ ପୁରା ପରିବାର ସଂକ୍ରମିତ ହୋଇଛନ୍ତି। ପଶ୍ଚିମବଙ୍ଗର କୋଲକାତା, ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ଏବଂ ହାୱଡା ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୧ରେ ପଶ୍ଚିମବଙ୍ଗରେ ୨୫,୭୬୬ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧,୨୭୪ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେବେ ଏପ୍ରିଲ ୨୪ରେ ଟେଷ୍ଟ୍‌ କରାଯାଇଥିବା ୫୫,୦୬୦ ଜଣଙ୍କ ମଧ୍ୟରୁ ୧୪,୨୮୧ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। କରୋନା ଭୂତାଣୁର ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ବେଳେ ଏହା ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା ଦେଖିବାକୁ ମିଳିଛି।

ସୂଚନାଥାଉ କି, ପଶ୍ଚିମବଙ୍ଗରେ ଟିଏମସି ନେତା କାଜଲ ସିହ୍ନାଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଚଳିତ ନିର୍ବାଚନରେ ​ଖାରଦହ ବିଧାନସଭା ଆସନରୁ ଟିଏମ୍‌ସି ପ୍ରାର୍ଥୀ ହୋଇଥିଲେ।

ଦେଶରେ ବେକାବୁ ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ୬୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୭୬୭ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୧୧କୁ ବୃଦ୍ଧି ପାଇଛି।

ସେପଟେ, ଅକ୍ସିଜେନ ପରିବହନକାରୀ ଜାହାଜଠୁ ଆଦାୟ ହେବନି ଦେୟ। ଏନେଇ ସବୁ ବୃହତ୍ ବନ୍ଦରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ଅକ୍ସିଜେନ ସରଞ୍ଜାମ ପରିବହନକାରୀ ଜାହାଜଠୁ ମଧ୍ୟ ଦେୟ ଆଦାୟ କରିବାକୁ ମନା କରାଯାଇଛି। ଅନ୍ୟପକ୍ଷେ, ଦେଶରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ୫୫୧ଟି ନୂଆ ଅକ୍ସିଜେନ୍ ପ୍ଲାଣ୍ଟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।

You might also like