ୟୁରୋପିୟ ସଂସଦରେ CAA ବିରୋଧୀ ଭୋଟିଂ ସ୍ଥଗିତ

ନୂଆଦିଲ୍ଲୀ:ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ ଉପରେ ଆଜି ହେବାକୁ ଥିବା ଭୋଟିଂ ସ୍ଥଗିତ ହୋଇଯାଇଛି। ଏହି ଭୋଟିଂ ମାର୍ଚ୍ଚ ମାସରେ କରାଯିବ। ତେବେ ଆଜି ନାଗରିକତା ଆଇନ ବିରୋଧରେ ଆଲୋଚନା ସଂସଦରେ ହେବ କିନ୍ତୁ ଏହା ଉପରେ ଭୋଟିଂ ମାର୍ଚ୍ଚରେ ହେବ ବୋଲି କୁହାଯାଇଛି। ୫ଟି ପ୍ରଭାବଶାଳୀ ରାଜନୈତିକ ଦଳ ପକ୍ଷରୁ ୟୁରୋପିୟ ସଂସଦରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଭୋଟିଂ ପ୍ରକ୍ରିୟା ଟଳିବା  ଭାରତର ଏକ ବଡ କୁଟନୀତିକ ସଫଳତା ବୋଲି କୁହାଯାଉଛି।

ଭୋଟ ତାରିଖ ଘୁଞ୍ଚାଇବା ପାଇଁ ୟୁରୋପୀୟ ସଂସଦରେ ଆଜି ଭୋଟ ହୋଇଥିଲା। ୭୫୧ ସଦସ୍ୟଙ୍କ ମଧ୍ୟରୁ ୪୮୩ ଜଣ ଭୋଟ ସମୟରେ ଉପସ୍ଥିତ ଥିଲେ। ୨୭୧ ଜଣ ଭୋଟ୍ ତାରିଖ ବଢାଇବା ସପକ୍ଷରେ ମତ ଦେଇଥିବାବେଳେ ୧୯୯ ଜଣ ବିପକ୍ଷରେ ମତ ଦେଇଥିଲେ। ଯାହା ବି ହେଉ, ଭୋଟିଂ ତାରିଖ ଘୁଞ୍ଚିବା ଦ୍ୱାରା CAA ବିରୋଧୀଙ୍କୁ ସାମ୍ନା କରିବା ଲାଗି ଭାରତର ପ୍ରସ୍ତୁତିକୁ ଅଧିକ ସମୟ ମିଳିବ। ଭାରତର କୂଟନୀତିକ ସଫଳତା ଯୋଗୁ ଏହା ସମ୍ଭବ ହୋଇ ପାରିଥିବା କୁହାଯାଉଛି।

ସୂଚନାଥାଉ କି, ବିଗତ କିଛି ଦିନ ହେଲା ଭାରତ ସରକାର ବ୍ରସେଲ୍ସରେ ନିଜର କୂଟନୀତିକ ଶକ୍ତିକୁ ବଢ଼ାଇବାରେ ଲାଗିଥିଲେ। ଭାରତ ବ୍ରସେଲ୍ସ ସମେତ ୟୁରୋପିଆନ ୟୁନିଅନରେ ମଧ୍ୟ ନିଜ କୂଟନୀତିକ ରଣନୀତିକୁ ଅଧିକ ସୁଦୃଢ଼ କରିଥିଲା, ଯେଉଁଥିପାଇଁ ଭାରତକୁ ଆଜି ଏଭଳି ଆଶ୍ୱସ୍ତି ମିଳି ପାରିଛି।

ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତର କୂଟନୀତିକ ମିଶନ ଗୁଡ଼ିକ ସିଏଏକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିବା କାର୍ଯ୍ୟରେ ବ୍ୟସ୍ତ ରହିଛି। ୟୁରୋପିଆନ ୟୁନିଅନ ପାର୍ଟିର ସଦସ୍ୟ ମିଚେଲ ଗେହଲର ପ୍ରଥମେ ଭୋଟ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରସ୍ତାବ ଆଗତ କରିଥିଲେ। ମିଚେଲଙ୍କ ପାର୍ଟିର ୧୮୨ ଜଣ ସଦସ୍ୟ ୟୁରୋପିଆନ ସଂସଦରେ ରହିଛନ୍ତି।

ଅନ୍ୟପକ୍ଷରେ ୟୁରୋପିଆନ ସଂସଦରେ ଥିବା ପାକିସ୍ତାନ ଜନ୍ମିତ ଶପକ ମହମ୍ମଦ ହିଁ ସିଏଏ ବିରୋଧରେ ଭୋଟିଂ କରିବାକୁ ପ୍ରସ୍ତାବ ଆଗତ କରିଥିବା ଜଣାପଡ଼ିଛି।

You might also like