କୁଲଗାମରେ ଏନକାଉଣ୍ଟର: ୨ ଆତଙ୍କୀ ନିପାତ
ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁଲଗାମରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କୀ ଆକ୍ରମଣରେ ୩ ଭାରତୀୟ ସେନା ଆହତ ହୋଇଛନ୍ତି। ଭାରତୀୟ ସୁରକ୍ଷା ବାହିନୀ ତଥାପି କିଛି ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁଲଗାମ ଜିଲ୍ଲାର ନାଗନାଦ ଚିମାର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ଖବର ମିଳିବା ପରେ ଭାରତୀୟ ସୁରକ୍ଷା ବାହିନୀ ସତର୍କ ହୋଇଥିଲେ। ଆତଙ୍କବାଦୀମାନେ ଏକ ବଡ ଷଡଯନ୍ତ୍ର କରିବାକୁ ଚେଷ୍ଟା କରୁଥିବା ଭାରତୀୟ ସେନା ଜାଣିବା ପରେ ସ୍ଥାନୀୟ ପୋଲିସ ଏବଂ CRPF ର ଏକ ମିଳିତ ଟିମ୍ ଚିମାର ଅଞ୍ଚଳକୁ ଅବରୋଧ କରିବା ଆରମ୍ଭ କରିଥିଲେ।
ପରେ ଗୁଳି ବିନିମୟ ଚାଲିଥିଲା। ଏଥିରେ ୨ ଆତଙ୍କୀ ନିପାତ ହେବା ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସର୍ଚ୍ଚ ଅପରେଶନ ବେଳେ କିଛି ଆତଙ୍କବାଦୀ ଏକ ଘରେ ଲୁଚି ରହିଥିବା ଜଣାପଡ଼ିଛି।
An encounter has started at Nagnad-Chimmer area of Kulgam. Police and security forces are on the job. Further details shall follow: Kashmir Zone Police
— ANI (@ANI) July 17, 2020