ସୋପିଆନରେ ୩ ଆତଙ୍କୀ ନିପାତ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ଶୁକ୍ରବାର ସୁରକ୍ଷାକର୍ମୀ-ଆତଙ୍କୀ ମୁହାମୁହିଁ ହୋଇଛନ୍ତି।  ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜମ୍ମୁ କାଶ୍ମୀରର ଜଣେ  ସ୍ୱତନ୍ତ୍ର ପୋଲିସ ଅଫିସର (SPO) ସହିଦ ହୋଇଛନ୍ତି। ଅନ୍ୟ ଜଣେ ଯବାନ ଗୁରୁତର ଅଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,  ସୋପିଆନ ଜଲ୍ଲାର ବଡଗାମ୍‌ରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଅପରେଶନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ  ତିନି ଜଣ ଆତଙ୍କୀ ନିପାତ ହୋଇଛନ୍ତି। ସେମାନେ ଲସ୍କର ଏ ତୋଇବାର ବୋଲି ଜଣାପଡ଼ିଛି ।   ଘଟଣାସ୍ଥଳରୁ ୨ଟି ଏକ-୪୭, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଫେବ୍ରୁଆରୀ ୧୮ ତାରିଖ ସୁରକ୍ଷା କର୍ମୀଙ୍କୁ ସୂଚନା ମିଳିଥିଲା ଯେ, ଉକ୍ତ ଇଲାକାରେ ଆତଙ୍କୀ ଲୁଚି ରହିଛନ୍ତି। ପୋଲିସ ପୂରା ଇଲାକାକୁ ଘେରାବନ୍ଦୀ କରିବା ସହ ତଲାସୀ ଅଭିଯାନ ଆରମ୍ଭ କରିଥିଲା। ସୁରକ୍ଷାକର୍ମୀ ଘେରି ଯାଇଥିବା ଜାଣି ଆତଙ୍କୀମାନେ ଫାୟାରିଂ ଆରମ୍ଭ କରି ଦେଇଥିଲେ। ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ।

କାଶ୍ମୀର ଜୋନ ଆଇଜିପି (Inspector General of Police) ବିଜୟ କୁମାର ସୂଚନା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।  ସହିଦ SPO ଜଣକ ହେଉଛନ୍ତି ମହମ୍ମଦ ଏତତାଫ ଏବଂ ଗୁରୁତର ଯବାନଙ୍କ ନାଁ କ୍ୟାପ୍‌ଟେନ ମନ୍‌ଜୁର ଅହମ୍ମଦ । 

କାଶ୍ମୀର ଜୋନ୍‌ ପୋଲିସର କହିବା ଅନୁଯାୟୀ,  ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଏନକାଉଣ୍ଟର ସମ୍ପର୍କରେ କାଶ୍ମୀର ପୋଲିସ ମଧ୍ୟ ଟୁଇଟ କରି ସୂଚନା ଦେଇଛି।

ଏଠି କହିରଖିବୁ, କେତେକ ୟୁରୋପୀୟ ଦେଶ ଏବଂ ଅର୍ଗାନାଇଜେସନ ଅଫ ଇସ୍‌ଲାମିକ କେପରେସନ୍ସର ଏକ ଟିମ୍‌ ଜାମ୍ମୁ-କାଶ୍ମୀରର ବିକାଶର ଅନୁଧ୍ୟାନ କରିବାକୁ ବୁଧବାର ଏଠାରେ ପହଞ୍ଚିଥିଲେ। ଜମ୍ମୁ-କାଶ୍ମୀରର ଧାରା ୩୭୦ ହଟିବା ପରେ ଏଠିକାର ସ୍ଥିତି ପରଖିବା ପାଇଁ ଏହି ଟିମ ଆସିଥିଲେ। ଏହି ସମୟରେ ଏନ୍‌କାଉଣ୍ଟର ଘଟିଛି।

ସୂଚନାଥାଉ କି, , ଭିନ୍ନ ଭିନ୍ନ ଅଭିଯାନରେ ଲସ୍ମର-ଏ-ମୁସ୍ତାଫାର ପ୍ରମୁଖ ଏବଂ ତାଙ୍କର ସହଯୋଗୀଙ୍କୁ ଶନିବାର ଗିରଫ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ରବିବାର ପୋଲିସ ୨ ଜଣ ଘର ମାଲିକଙ୍କୁ ଗିରଫ କରିଥିଲା। ସେମାନେ ପୋଲିସକୁ ସୂଚନା ନ ଦେଇ ଏମାନଙ୍କୁ ଘର ଭଡ଼ା ଦେଇଥିଲେ। ସୋପିଆନ ଜିଲ୍ଲାର କୁଖ୍ୟାତ ଆତଙ୍କୀ ହିଦାୟତୁଲ୍ଲାହ ମଲିକକୁ ଶନିବାର ଜମ୍ମୁ ବାହାର ଏକ ଘରୋଇ କାର୍‌ରୁ ପୋଲିସ ଗିରଫ କରିଥିଲା। ପରେ ତାର ସହଯୋଗୀ ନଜୀର ଅହମ୍ମଦକୁ ସହରର ବଠିଣ୍ଡି ଇଲକାରୁ ଗିରଫ କରାଯାଇଥିଲା।  ସେ ମଧ୍ୟ ସୋପିଆନର ବାସିନ୍ଦା ବୋଲି ଜଣାପଡ଼ିଛି।

୨୦୨୦- ଡିସେମ୍ବର ମାସରେ ଜମ୍ମୁ ଓ କାଶ୍ମୀରରେ ଜିଲ୍ଲା ପରିଷଦ ନିର୍ବାଚନ ଚାଲିଥିବା ବେଳେ  ବରଫପାତର ସୁଯୋଗ ନେଇ ଆତଙ୍କବାଦୀ ଅନୁପ୍ରେବେଶ ଉଦ୍ୟମ କରିଥିଲେ। ହେଲେ ସେନା ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଥିଲେ। 

You might also like