• translate
Rajalaxmi Sahoo

ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ବେଳେ କରୋନା ରୋଗୀ ଯେଭଳି ସୁରକ୍ଷିତ ରହିବେ ଏବଂ କୋଭିଡ୍ ହସ୍ପିଟାଲ ଓ କେନ୍ଦ୍ର ଗୁଡିକ ପରିଚାଳନାରେ ଯେମିତି କୌଣସି ବ୍ୟାଘାତ ନ ହୁଏ ତାହା ନିଶ୍ଚିତ କରିବା ଉପରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଦେଶର ଅନ୍ୟ ଅଞ୍ଚଳକୁ ଚାଲିଥିବା ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣ ବଜାୟ ରଖିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ଆଜି ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବସିଥିବା ଜାତୀୟ ସଙ୍କଟ ପରିଚାଳନା କମିଟି-NCMC ବୈଠକରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ ର ମୁକାବିଲା ନେଇ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ଓଡ଼ିଶା ସମେତ ପ୍ରଭାବିତ ରାଜ୍ୟ ଗୁଡିକର ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନେ ନିଜ ନିଜ ରାଜ୍ୟରେ ବାତ୍ୟା ମୁକାବିଲା ନେଇ କରିଥିବା ପଦକ୍ଷେପ ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ। ତଳୁଆ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବା, ଯଥେଷ୍ଟ ସଂଖ୍ୟାରେ ଖାଦ୍ୟ ଶସ୍ୟ, ପାନୀୟ ଜଳ ଏବଂ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ସହ ବିଦ୍ଯୁତ ଓ ଟେଲିକମ୍ ସେବାର ଶୀଘ୍ର ପୁନରୁଦ୍ଧାର ନେଇ ଆଲୋଚନା ହୋଇଥିଲା।

ସମ୍ଭାବ୍ୟ ବାତ୍ୟା ‘ୟାସ୍’କୁ ଦୃଷ୍ଟିରେ ରଖି ଏନଡିଆରଏଫର ୬୫ ଟିମ୍ ମୁତୟନ ହୋଇଛନ୍ତି। ଆହୁରି ୨୦ଟି ଟିମ୍ ମୁତୟନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ସ୍ଥଳସେନା, ବାୟୁସେନା, ନୌସେନା ଏବଂ ତଟରକ୍ଷୀବାହିନୀର ଉଦ୍ଧାର ଏବଂ ସହାୟତା ଟିମକୁ ଜାହାଜ ଓ ବିମାନ ସହ ମୁତୟନ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା।

ଅନ୍ୟପକ୍ଷେ, ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ବାତ୍ୟାରେ ଜୀବନହାନୀ ନହେବା ସବୁଠାରୁ ବଡ଼ ଲକ୍ଷ୍ୟ। ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହା କହିଥିବା ନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏହାସହ କଚ୍ଚା ଘରେ ରହୁଥିବା ପ୍ରତ୍ୟେକ ଲୋକଙ୍କୁ ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Other Stories