ପାକିସ୍ତାନ ସାଧାରଣ ନିର୍ବାଚନ ଲାଗି ମତଦାନ ଶେଷ

ଇସ୍‌ଲାମାବାଦ୍‌: ହିଂସା ଓ ଭୋଟିଂରେ ଅନିୟମିତତା ଅଭିଯୋଗ ଭିତରେ ସରିଛି ପାକିସ୍ତାନ ସାଧାରଣ ନିର୍ବାଚନ ଲାଗି ମତଦାନ। ଲମ୍ବା ଲାଇନ୍ ଲଗାଇ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ପାକିସ୍ତାନ ଲୋକେ। ରାଜନୈତିକ ଅସ୍ଥିରତା, ନିମ୍ନଗାମୀ ଅର୍ଥନୀତି, ଆତଙ୍କବାଦ ସାଙ୍ଗକୁ ଦୁର୍ନୀତି ଓ ଅରାଜକତାରେ ପେଷି ହୋଇଯାଇଥିବା ପାକିସ୍ତାନରେ ଏହି ନିର୍ବାଚନ ପରିବର୍ତ୍ତନର ଧାରା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ପାକ୍‌ବାସୀ।

ପାକିସ୍ତାନ ପାର୍ଲାମେଣ୍ଟର ୨୭୨ ଆସନ ସମେତ ୪ଟି ପ୍ରଦେଶର ଆସେମ୍ବ୍ଲିକୁ ମିଶାଇ ମୋଟ ୮୪୯ ଆସନରେ ଭୋଟ ଗ୍ରହଣ ହୋଇଛି। ପ୍ରାୟ ୧୧ କୋଟି ଭୋଟର ସେମାନଙ୍କ ମତଧିକାର ସାବ୍ୟସ୍ତ କରିଛନ୍ତି। ମୋଟ ୧୨ ହଜାର ୫୭୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍‌ବାକ୍ସରେ ବନ୍ଦ ହୋଇଯାଇଛି। ଏଥର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ସରିଫ୍‌ଙ୍କ ପାକିସ୍ତାନ ମୁସଲିମ୍‌ ଲିଗ୍ ଓ କ୍ରିକେଟର୍‌ରୁ ନେତା ହୋଇଥିବା ଇମ୍ରାନ୍ ଖାନ୍‌ଙ୍କ ତେହରିକ୍-ଏ-ଇନ୍‌ସାଫ୍ ମୁହାଁମୁହିଁ ଲଢ଼େଇରେ ଅଛନ୍ତି। ୨୪ ଘଣ୍ଟା ଭିତରେ ଫଳାଫଳ ଆସିଯିବ ବୋଲି ଜଣାପଡ଼ିଛି।

ଅନ୍ୟ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ପିପିପି ଓ ଅନ୍ୟକିଛି ଦକ୍ଷିଣପନ୍ଥୀ ଦଳ ମଧ୍ୟ ମଇଦାନରେ ଅଛନ୍ତି। ତେବେ ନିର୍ବାଚନ ପରେ ପ୍ରଭାବଶାଳୀ ସେନା ବାହିନୀର ଆଭିମୁଖ୍ୟ କ’ଣ ରହୁଛି ତା’ ଉପରେ ନଜର ରହିଛି।

ସେପଟେ କ୍ୱେଟାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।ସେହିପରି ୨୬/୧୧ ମୁମ୍ବାଇ ଆତଙ୍କବାଦୀ  ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ ବି ଖୁଲମଖୁଲ୍ଲା ଭୋଟ ଦେଇଛି।

You might also like