ମମତାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ: ନିର୍ବାଚନ କମିଶନ

ମିଛ କହିଥିଲେ ମମତା?

କୋଲପତା: ଉଠୁଛି ପଡ଼ୁଛି ବଙ୍ଗ ରାଜନୀତି। ଗୋଟିଏ ପରେ ଗୋଟିଏ ଘଟଣା ବଙ୍ଗରେ ଘଟୁଛି। ତେବେ ଏପ୍ରିଲ୍‌ ୧ ତାରିଖ ଦିନ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଅନ୍ତର୍ଗତ ଏକ‌ ମତଦାନ କେନ୍ଦ୍ର ଜବରଦଖଲ ହୋଇଥିବା ଅଭିଯୋଗ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ। ଏହାକୁ ନେଇ ସେ ନିର୍ବାଚନ କମିଶନଙ୍କୁ ଏକ ଚିଠି ମଧ୍ୟ ଲେଖିଥିବା ସୂଚନା ମିଳିଛି। ତେବେ ମମତାଙ୍କ ଅଭିଯୋଗରେ କୌଣସି ସତ୍ୟତା ନଥିବା ନିର୍ବାଚନ କମିଶନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିଠି ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ ଏବଂ ଏଥିରେ କୌଣସି ଗୁରୁତ୍ୱ ନାହିଁ ବୋଲି କହିବା ସହ ନିର୍ବାଚନ କମିସନ କହିଛନ୍ତି ଯେ,ଏହା ଆଦର୍ଶ ଆଚରଣ ବିଧି ଓ ଜନ ପ୍ରତିନିଧି ଆଇନ ଉଲ୍ଲଂଘନ କରୁଛି। ମମତାଙ୍କ ଅଭିଯୋଗ ସଂକ୍ରାନ୍ତରେ ସ୍ପେସାଲ୍‌ ଅବ୍‌ଜରଭର୍‌ ଅଜୟ ନାୟକ (ଜେନେରାଲ୍‌) ଏବଂ ବିବେକ ଦୁବେ (ପୁଲିସ) ନିର୍ବାଚନ କମିସନ୍‌କୁ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ। ଏହାସହ ସ୍ପେସାଲ୍‌ ଅବ୍‌ଜରଭର୍‌ ଏବଂ ବିଭିନ୍ନ ସ୍ତରରେ ଥିବା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ନିର୍ବାଚନ କମିସନ୍‌ କହିଛନ୍ତି ଯେ, ବାହାର ଲୋକ ବନ୍ଧୁକ କିମ୍ବା ଗୁଣ୍ଡାମାନେ ସମ୍ପୃକ୍ତ ବୁଥ୍‌ ଜବର ଦଖଲ କରିଥିବା କଥା କୌଣସି ଠାରେ ଉଲ୍ଲେଖ ନାହିଁ।

କେବଳ ଏତିକି ନୁହେଁ ବରଂ ନିର୍ବାଚନ କମିସନ୍‌ ଆହୁରି ମଧ୍ୟ କହିଛି ଯେ, ବୋୟାଲ୍‌ ମତଦାନ କେନ୍ଦ୍ରରେ ମୁତୟନ ହୋଇଥିବା ‘ବିଏସ୍‌ଏଫ୍‌’ ଯବାନଙ୍କ ବିରୋଧରେ ହୋଇଥିବା ଅଭିଯୋଗର ମଧ୍ୟ କୌଣସି ସତ୍ୟତା ନାହିଁ। ‘ବିଏସ୍‌ଏଫ୍‌’ ଯବାନମାନେ ବୁଥ୍‌ ଭିତରେ ପଶି ଲୋକମାନଙ୍କୁ ଭୋଟ୍‌ ଦେବାରୁ ବଞ୍ଚିତ କରାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ। ଏଠାରେ ଆମେ କହିରଖୁଛୁ ଯେ, ବଙ୍ଗ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି। ନିତିଦିନି ମୋଦି-ଦିଦିଙ୍କ ସମର୍ଥକ ମୁହାଁମୁହିଁ ହେଉଥିବା ବେଳେ ହାତାହାତି ମଧ୍ୟ ହେଉଛନ୍ତି। ଆଉ ଏହାରି ମଧ୍ୟରେ ମମତାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିବା ପରେ ରାଜ୍ୟ ରାଜନୀତି ଜୋରଧରିଛି। ଆଗାମୀ ମାସରେ ବଙ୍ଗର ନିର୍ବାଚନ ଫଳ ପ୍ରକାଶ ପାଇବ।

You might also like