ଆପତ୍ତିଜନକ ମନ୍ତବ୍ୟ ପାଇଁ ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ

ମହଙ୍ଗା ପଡ଼ିଲା ବୟାନ

 

  • ୨୪ ଘଣ୍ଟା ପାଇଁ କରିପାରିବେନି ପ୍ରଚାର
  • ଗତକାଲି ରାତି ୮ଟାରୁ ଆଜି ରାତି ୮ଟା ଯାଏ କଟକଣା
  • ନିର୍ବାଚନ ପ୍ରଚାରରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ
  • ପୂର୍ବରୁ ମମତାଙ୍କୁ ଦୁଇ ଥର ନୋଟିସ୍ କରିଥିଲେ EC
  • ପ୍ରତିବାଦରେ କୋଲକାତାରେ ଧାରଣା ଦେବେ ଦିଦି

କୋଲକାତା : ମହଙ୍ଗା ପଡ଼ିଲା ବୟାନ । ୨୪ ଘଣ୍ଟା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବ୍ୟାନ୍ କଲେ ନିର୍ବାଚନ କମିଶନ୍ । ମମତାଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମଙ୍କୁ ନେଇ ମମତା ବୟାନ ଦେଇଥିବାରୁ ନିର୍ବାଚନ କମିସନ ନୋଟିସ ପଠାଇବା ସହ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ଗତକାଲି ରାତି ୮ଟାରୁ ଆଜି ରାତି ୮ଯାଏଁ ତାଙ୍କ ଉପରେ ରୋକ ଲାଗିଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାପୂର୍ବରୁ ମମତାଙ୍କୁ ଦୁଇ ଥର ନୋଟିସ୍ କରିଥିଲେ ଇସି । ତେବେ ଏହାକୁ ଖିଲାପ କରିଥିବାରୁ ଶେଷରେ ଏହି ଆକ୍ସନ୍ ନିଆଯାଇଛି ।

ନିର୍ବାଚନୀ ସଭାରେ ବାରମ୍ବାର ଆପତ୍ତିଜନକ ମନ୍ତବ୍ୟ, ଧର୍ମୀୟ ଭାବନାକୁ ଆଘାତ କରିବା ସହ ଧର୍ମ ଭିତ୍ତିରେ ଭୋଟ୍ ଦେବାକୁ ଆହ୍ୱାନ ଦେଇଥିଲେ ମମତା । କୁଚବିହାରରେ ହୋଇଥିବା ନିର୍ବାଚନୀ ସଭାରେ କେନ୍ଦ୍ରୀୟ ସୁରକ୍ଷା ବଳକୁ ଘେରାଉ କରିବା ପାଇଁ ମହିଳାଙ୍କୁ ଉସୁକାଇଥିଲେ ମମତା । ଏପରିକି ନିର୍ଦ୍ଦିଷ୍ଟ ଏକ ଧର୍ମର ଭୋଟରଙ୍କୁ କେନ୍ଦ୍ରୀୟ ଫୋର୍ସ ବିରୋଧରେ ବିପ୍ଲବ କରିବାକୁ ନିର୍ବାଚନୀ ସଭାରେ କହିଥିବା ଅଭିଯୋଗ ହୋଇଛି । ସେପଟେ ଏହି ନିଷ୍ପତ୍ତି ବିରୋଧରେ ଆଜି ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ମମତା । କାର୍ଯ୍ୟାନୁଷ୍ଠାନକୁ ଅଗଣନ୍ତ୍ରାତିକ ଦର୍ଶାଇ ସେ କୋଲକାତାରେ ଧାରଣାରେ ବସିବେ । ଆଜି ମଧ୍ୟାହ୍ନ ୧୨ଟା ବେଳେ କୋଲକାତାସ୍ଥିତ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଗୁରୁବାର ରାତିରେ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା , ମମତା ବାନାର୍ଜୀ କେନ୍ଦ୍ରୀୟ ସୁରକ୍ଷାବଳଙ୍କ ବିରୋଧରେ ମନ୍ତବ୍ୟ ଦେଇ ଭାରତୀୟ ଦଣ୍ଡବିଧି ଆଇନର ଅନେକ ଧାରାକୁ ଉଲ୍ଲଂଘନ କରିଛନ୍ତି । ଶନିବାର ସକାଳ ୧୧ ଟା ସୁଦ୍ଧା ମମତାଙ୍କୁ ଏହାର ଜବାବ ରଖିବାକୁ ହେବ। ନିର୍ବାଚନ ବେଳେ ମମତା ବାନାର୍ଜୀ ଏଭଳି ଭୁଲ ମନ୍ତବ୍ୟ ଏବଂ ଉତ୍ତେଜନା ମୂଳକ  ମନ୍ତବ୍ୟ ଦେଇ କେନ୍ଦ୍ରୀୟ ସୁରକ୍ଷାବଳର ଗାରିମା କ୍ଷୂର୍ଣ୍ଣ କରିବାକୁ ଚେଷ୍ଟା କରିଥିବା କହିଥିଲେ ନିର୍ବାଚନ କମିଶନ୍ ।

You might also like