ନିର୍ବାଚନର ୭୨ ଘଂଟା ପୂର୍ବରୁ ପ୍ରାର୍ଥୀଙ୍କ ପ୍ରଚାର ଉପରେ ଲାଗିଲା ରୋକ୍‌

ଡରାଉଛି କରୋନା

ନୂଆଦିଲ୍ଲୀ:  ନିର୍ବାଚନ କମିଶନଙ୍କ ବଡ଼  ନିଷ୍ପତ୍ତି। ଏଣିକି ନିର୍ବାଚନ ହେବାକୁ ଥିବା ଦିନର ୭୨ ଘଂଟା ପୂର୍ବରୁ ପ୍ରଚାର ଉପରେ ରୋକ ଲଗାଇଲେ କମିଶନ। କୋଭିଡ଼ ଦୃଷ୍ଟିରୁ କଟକଣା ଲାଗୁ କଲେ ନିର୍ବାଚନ କମିଶନ। ଏଣିକି ଭୋଟ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ। ଦୈନିକ ପ୍ରଚାରରେ ବି କାଟଛାଣ୍ଟ କଲେ ନିର୍ବାଚନ କମିଶନ। ଏଣିକି ରାତି ୭ଟାରୁ ପରଦିନ ସକାଳ ୧୦ଟା ଯାଏ ପ୍ରଚାର ବନ୍ଦ ହେବ ବୋଲି ସୂଚନା ମିଳିଛି। ତେବେ ପଶ୍ଚିମବଙ୍ଗର ବାକି ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ କଟକଣା ଲାଗୁ ହୋଇଛି। କରୋନା ସଂଖ୍ୟା ଦେଶରେ ବଢୁଥିବାରୁ ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, ଆଜି ବି ଦେଶରେ ରେକର୍ଡ କରିଛି କରୋନା।

ଦେଶରେ କରୋନା ତା’ର କରାଳ କାୟା ବିସ୍ତାର କରି ଚାଲିଛି। ସଂକ୍ରମଣ  ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି। ଗତକାଲି ଦେଶରେ୧ ଲକ୍ଷ ୯୯ ହଜାର ୫୬୯ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୨ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୧୭ ହଜାର ୩୫୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସଂକ୍ରମିତଙ୍କ ସଂଖ୍ୟା ମିଶାଇଲେ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୨,୯୧,୯୧୭ରେ ପହଞ୍ଚିଛି।

ଏପ୍ରିଲ ଆରମ୍ଭରୁ ଆଜି ସୁଦ୍ଧା ଅର୍ଥାତ୍‌ ୧୬ ଦିନ ମଧ୍ୟରେ ପ୍ରାୟ  ୨୧, ୪୨, ୫୮୨ ଜଣ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷେ ଏହି ସମୟ ମଧ୍ୟରେ ୧୧, ୮୪୦ ଜଣଙ୍କର ମୃତ୍ୟୁ ଘଟିଲାଣି। ଆଜି ଲଗାତାର ଦ୍ୱିତୀୟ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୧, ୭୨, ୨୩, ୫୦୯ ଜଣ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି।

ତେବେ ପୂର୍ବରୁ ବଙ୍ଗ ନିର୍ବାଚନକୁ ନେଇ ସାରା ଦେଶରେ  ଚର୍ଚ୍ଚା ଥମିବାରେ ନା ନେଉନାହିଁ। ବଙ୍ଗରେ ଥମିବାରେ ନା ନେଉନାହିଁ ମୋଦି-ଦିଦି ରାଜନୀତି। ପ୍ରତିଦିନ ଉଭୟ ଉଭୟଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଏହାରି ମଧ୍ୟରେ ମମତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନ। ଆଉ ଯାହାକୁ ନେଇ ପୁଣି ଥରେ ମୋଦିଙ୍କ ଉପରେ ବର୍ଷିଥିଲେ ଦିଦି। ନିର୍ବାଚନ ପ୍ରଚାର ଉପରେ ଲାଗୁ ହୋଇଥିବା ୨୪ଘଣ୍ଟିଆ ନିଷେଧାଦେଶ ଶେଷ ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ମତୁଆ ସମ୍ପ୍ରଦାୟ ପାଇଁ ସେ କିଛି କରିନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା କଥାକୁ ‘ଚାଲେଞ୍ଜ୍‌’ କରି ସେ କହିଲେ, ମୁଁ ଏ ‘ଚାଲେଞ୍ଜ୍‌’କୁ ଗ୍ରହଣ କରୁଛି। ଯଦି ମୁଁ କିଛି କରିନାହିଁ, ମୁଁ ରାଜନୀତି ଛାଡ଼ିଦେବି ଆଉ କିଛି ନ କରି ଆପଣ ଯଦି ମିଛ କହୁଥାଆନ୍ତି, ତେବେ ଆପଣ କାନଧରି ଉଠ୍‌ବସ୍‌ ହେବେ ବୋଲି କହିଥିଲେ ମମତା।

You might also like