କରୋନା ସ୍ଥିତିକୁ ଦେଖି କଡ଼ା ନିର୍ଦ୍ଦେଶ ଜାରି କଲେ ଇଲେକ୍ସନ କମିଶନ

ନୂଆଦିଲ୍ଲୀ: ଶେଷରେ କଠୋର ହେଲେ ନିର୍ବାଚନ କମିଶନ।  କରୋନାର ଭୟଙ୍କର ସ୍ଥିତିକୁ ଦେଖି କଡ଼ା ନିିର୍ଦ୍ଦେଶ ଜାରି କରିଛନ୍ତି । ନିର୍ବାଚନ କମିଶନ କହିଛନ୍ତି, ମେ’ ୨ ଭୋଟ ଗଣତି ପରେ କେହି ବିଜୟ ଶୋଭାଯାତ୍ରା କରି ପାରିବେ ନାହିଁ । କୋଭିଡର ଦ୍ରୁତ ସଂକ୍ରମଣକୁ ଦେଖି ଏହି ନିର୍ଦ୍ଦେଶ ଦିଆଯାଇଛି ।

ମେ’ ୨ ତାରିଖରେ ୫ ବିଧାନସଭା ନିର୍ବାଚନର ଗଣତି ହେବ । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରି ବିଧାନସଭାରେ ନିର୍ବାଚନ ହୋଇଛି । ଏବେ କେବଳ ପଶ୍ଚିମବଙ୍ଗରେ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ଅଛି।  ବାକି ସବୁ ରାଜ୍ୟରେ ସରିଛି ନିର୍ବାଚନ।  ୫ଟି ଯାକ ବିଧାନସଭାର ନିର୍ବାଚନର ଫଳାଫଳ ମେ ୨ରେ ଆସିବ ।

ତେବେ ନିର୍ବାଚନ ବେଳେ କୋଭିଡ ଗାଇଡଲାଇନର ଖୋଲା ଉଲ୍ଲଂଘନ ଓ କରୋନାର ଭୟଙ୍କର ରୂପ ଯୋଗୁଁ ନିର୍ବାଚନ କମିଶନ ବିଭିନ୍ନ ମହଲରେ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଏପରିକି ମାଡ୍ରାସ ହାଇକୋର୍ଟ ମଧ୍ୟ କଡ଼ା ଭର୍ତ୍ସନା କରିଥିଲେ । ଭୋଟ୍ ବେଳେ କରୋନା ରୋକିବାକୁ ନିୟମର କଡ଼ା ପାଳନର ଦାୟିତ୍ୱ ନିର୍ବାଚନ କମିଶନଙ୍କର ବୋଲି କହିଥିଲେ ଏହା ପରେ ବିଜୟ ଶୋଭାଯାତ୍ରାକୁ ବାରଣ କରିଛନ୍ତି ନିର୍ବାଚନ କମିଶନ।

ସୂଚନାଥାଉ କି, କରୋନା ସଂକ୍ରମଣ ନେଇ ନିର୍ବାଚନ କମିଶନରଙ୍କୁ କଡା ସାମାଲୋଚନା କରିଛନ୍ତି ମାଡ୍ରାସ ହାଇକୋର୍ଟ। ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି। କୋର୍ଟ ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତାହାଲେ ଆଜି କରୋନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ହୋଇନଥାନ୍ତା। ତେଣୁ ନିର୍ବାଚନ କମିଶନର ଏଭଳି ପରିସ୍ଥିତି ପାଇଁ ଏକା ଦାୟୀ। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର ବୋଲି କୋର୍ଟ କହିଥିଲେ।

ଏଠି କହିରଖିବୁ, ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇବା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ଦିନକରେ ୨୭୭୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୭ ହଜାର ୮୯୪କୁ ବୃଦ୍ଧି ପାଇଛି। ଦେଶରେ ଆକ୍ଟିଭ କସ୍‌ ୨୮ ଲକ୍ଷ ୮୨ ହଜାର ୨୦୪ ରହିଛି।

 

You might also like